ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଚିନିଶିଳ୍ପ ନୁଆଗାଁ ଉତ୍ସବମୁଖର

ଆସିକା  (ୱାଇଏନ୍‍ଏସ୍‍): ଆଉମାତ୍ର ୩ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆସିକା ନିକଟସ୍ଥ ଚିନିଶିଳ୍ପ ନୁଆଗାଁ ଏବେଠୁ ଉତ୍ସବମୁଖର ଓ ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳିଛି । ପ୍ରସିଦ୍ଧ ଘୋଷଯାତ୍ରା ଦିନ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଶେଷ ପରେ ମହାପ୍ରଭୂ ଜଗତକର୍ତ୍ତା ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ଅଣାଯାଇ ରଥାରୁଢ କରାଯିବା ପରେ ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ରଥରେ ପୂର୍ବ ପ୍ରଚଳିତ ପ୍ରଥା ଅନୁଯାୟୀ ମାହେନ୍ଦ୍ର ବେଳାରେ ଛେରାପହଁରା କାର୍ଯ୍ୟ ସଂପାଦନ ପରେ ରଥଟଣା ଆରମ୍ଭ ହେବ ବୋଲି ଜଣାପଡିଛି । ଆସନ୍ତା ଗୁରବାର ଦିନ ପବିତ୍ର ଘୋଷଯାତ୍ରା ଦିନ ଆସିକା ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରରେ ଦୀର୍ଘ ବର୍ଷ ଧରି ପୂଜା ପାଇଆସୁଥିବା ତିନି ଭାଇଭଉଣୀ ଗୋଟିଏ ସୁସଜ୍ଜିତ ରଥରେ ମାଉସୀ ମା ମନ୍ଦିରକୁ ଯିବେ ବୋଲି ଜଣାପଡିଛି । ଭକ୍ତ ସହ ଭଗବାନଙ୍କର ମହାମିଳନର ମହାପର୍ବ ପାଇଁ ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିର ପରିସର ଦିନକୁ ଦିନ ଉତ୍ସବମୁଖର ହୋଇଉଠିଥିଲା ବେଳେ ଅଗଣିତ ଭକ୍ତଙ୍କ ସହ ନବଦିନବ୍ୟାପୀ ଘୋଷଯାତ୍ରାରେ ଯିବେ ଚୁତୁର୍ଦ୍ଧାମୂର୍ତ୍ତୀ । ଜନସମୂଦ୍ରରେ ପରିଣତ ହେବ ମନ୍ଦିର ପରିବେଶ । ବିଶ୍ୱନିୟନ୍ତା ରଥାରୁଢ ବ୍ରହ୍ମାଣ୍ଡ ଗୋସାଇଁଙ୍କୁ ଦର୍ଶନ ପାଇଁ ଏବେଠୁ ଶ୍ରଦ୍ଧାଳୁ ଭକ୍ତମାନେ ଅପେକ୍ଷା କରିବସିଥିବା ଦେଖିବାକୁ ମିଳୁଛି । ଚିନିଶିଳ୍ପ ନୁଆଗାଁରେ ଦୀର୍ଘ ବର୍ଷ ଧରି ହୋଇଆସୁଥିବା କୋଟି କୈବଲ୍ୟନାଥ ମଣିମା ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହଜାର ହଜାର ଭକ୍ତଙ୍କ ଆସ୍ଥା ଓ ଭକ୍ତିର ମହୋତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ ବିଚିତ୍ର । ସେହି ବିଚିତ୍ର ଓ ବିସ୍ମୟ ଏବଂ ଅଭେଦ୍ୟ ରହସ୍ୟକୁ କେହି କେବେ ଭେଦ କରିପାରିନାହାନ୍ତି । ଆସିକା ନିକଟସ୍ଥ ଚିିନିଶିଳ୍ପ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତ ଯେତେବେଳେ ଦୃଢ ବିଶ୍ୱାସରେ ଶ୍ରଦ୍ଧା ଏବଂ ଭକ୍ତି ଓ ନିଷ୍ଠାର ସହିତ ଜଗତକର୍ତ୍ତାଙ୍କ ଶ୍ରୀ ଚରଣାରବିନ୍ଦରେ ନିଜକୁ ସମର୍ପି ଦେଇଥାଏ ସେ ନିଶ୍ଚିତ ଭାବେ ବିଭୂକୃପା ଲାଭ କରିଥାଏ ବୋଲି ବିଶ୍ୱାସ ରହିଥିବାରୁ ବର୍ଷତମାମ ଏହି ମନ୍ଦିରକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ପୁରୀ ଶ୍ରୀ ମନ୍ଦିରର ସମସ୍ତ ନୀତିକାନ୍ତି ଓ ବିଧାବିଧାନକୁ ଅନୁସରଣ କରି ଐତିହ୍ୟ ଓ କୀର୍ତ୍ତିସଂପନ୍ନ ଚିନିଶିଳ୍ପ ଜଗନ୍ନାଥ ମନ୍ଦିରରେ ବର୍ଷତମାମ ସମସ୍ତ ପୂଜାର୍ଚ୍ଚନା ସଂପାଦନ ହେଉଥିବା ଦେଖିବାକୁ ମିଳିଛି । ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ର ପରମ୍ପରା, ଐତିହ୍ୟ ଓ ଧାର୍ମିକ ମହତ୍ୱ ସମଗ୍ର ଦକ୍ଷିଣ ଓଡିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା ବେଳେ ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ହଜାର ହଜାର ଭକ୍ତଙ୍କ ମହଲରେ ବିଶ୍ୱାସ ବି ରହିଛି । ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରରେ ଜଗତକର୍ତ୍ତା ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାକୁ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଶୃଙ୍ଖଳିତ ଭାବେ ସଂପାଦନ କରିବା ପାଇଁ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ଶ୍ରଦ୍ଧାଳୁ ଭକ୍ତଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ