ଗଜପତିରେ ୧୩୭ତମ କଂଗ୍ରେସ ପ୍ରତିଷ୍ଠା ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସର ୧୩୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଓ ପୂର୍ବତନ ବିଧାୟକ ତଥା ସ୍ୱର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ପରେ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବହାରଲାଲ ନେହରୁ, ଇନ୍ଦିରାଗାନ୍ଧୀ, ରାଜୀବ ଗାନ୍ଧୀ ପ୍ରମୁଖଙ୍କ ସହ ବହୁ ସ୍ୱର୍ଗତ ନେତାମାନଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା । ଏହା ପରେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ପତାକାକୁ ଜିଲ୍ଲା ସଭାପତି ଉତ୍ତୋଳନ କରିଥିଲେ । କଂଗ୍ରେସ ପ୍ରତିଷ୍ଠା ଦିବସରେ ଗଜପତି ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ ଓ ନେତାମାନେ ଏକ ପଟୁଆର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଜଙ୍ଗମ ସାହି ଛକ ଠାରେ ଥିବା ରାଧାରାଣୀ କଲ୍ୟାଣ ମଣ୍ଡପ ଠାରେ ପହଂଚି ୧୩୭ତମ ପ୍ରତିଷ୍ଠା ଦିବସ ସମାବେଶ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀଗମାଙ୍ଗ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସର୍ବଶ୍ରୀ ଜୟମୋହନ ରାଓ, ଅଭିମନ୍ୟୁ ପଣ୍ଡା, କୃଷ୍ଣଚନ୍ଦ୍ର ପାତ୍ର, ସଞ୍ଚୟ ଅଧିକାରୀ, ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ, ବସନ୍ତ କୁମାର ପଣ୍ଡା, ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ, ନୂଆଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୁଡ୍ବାଇ ମଣ୍ଡଳ, କାଶୀନଗର ବ୍ଲକ କଂଗ୍ରେସ ସଭାପତି ରାମପ୍ରସାଦ ପଟ୍ଟନାୟକଙ୍କ ସମେତ ନେତାମାନେ ମଞ୍ଚାସୀନ ହୋଇ କଂଗ୍ରେସ ଦଳର ପୂର୍ବତନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ, ଇନ୍ଦୀରା ଗାନ୍ଧୀ, ରାଜୀବ ଗାନ୍ଧୀ ପ୍ରମୁଖଙ୍କ ବଳିଦାନ, ଦେଶପ୍ରୀତି, ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ କଂଗ୍ରେସ କର୍ମୀ ସାଧାରଣଙ୍କ ସେବା କରନ୍ତୁ ବୋଲି ମତବକ୍ତ୍ୟ କରିଥିଲେ । ସେହିପରି କଂଗ୍ରେସ ଦଳକୁ ଗଜପତି ଜିଲ୍ଲାରେ ସୁଦୃଢ କରିବା ପାଇଁ ପ୍ରତ୍ୟେକ କଂଗ୍ରେସ ନେତା ଓ କର୍ମୀ ଏକତ୍ରିତ ଭାବେ କାର୍ଯ୍ୟକରି ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ସଫଳତାର ସହ ଯେପରି ସଂଖ୍ୟାଗରିଷ୍ଠତା ହାସଲ କରିବ ସେଥି ପାଇଁ ନେତାମାନେ ଆହ୍ୱାନ ଦେଇଥିଲେ ।


