ପୂର୍ବତନ ଡିଆଇପିଆରଓ ଅଜାତଶତ୍ରୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ସ୍ମୃତିସଭା
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ସ୍ୱର୍ଗତ ଅଜାତଶତ୍ରୁ ଦାସଙ୍କ ୧୪ତମ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା ସ୍ଥାନୀୟ ସାମ୍ବାଦିକ ପ୍ରକୋଷ୍ଠରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଅଜାତଶତ୍ରୁ ଦାସ ସ୍ମୃତି କମିଟିର କର୍ମକର୍ତ୍ତା ବରିଷ୍ଠ ସାମ୍ବାଦିକ ନିରଂଜନ ଦାସ ଏଥିରେ ପୌରୋହିତ୍ୟ କରିଥିଲେ । ବର୍ଷୀୟାନ ସାମ୍ବାଦିକ ତଥା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଲକ୍ଷ୍ମୀଧର ବେହେରା, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ଅଞ୍ଜନ କୁମାର ଦାସ ପ୍ରମୁଖ ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ବହୁବିଧ ପ୍ରତିଭା ଓ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଜଣେ ସ୍ପଷ୍ଟବାଦୀ ତଥା ନିର୍ଭୀକ ବ୍ୟକ୍ତିତ୍ୱ ଭାବେ ସ୍ୱର୍ଗତ ଦାସ ବାଲେଶ୍ୱରରେ ଡିଆଇପିଆରଓ ଥିବା ବେଳେ ସାମ୍ବାଦିକଙ୍କୁ ଉଚିତ ମୂଲ୍ୟାଙ୍କନ ସହ ସାମୂହିକ ଗଠନମୂଳକ କାର୍ଯ୍ୟଧାରାକୁ ଗୁରୁତ୍ୱ ଦେଇ ଆସୁଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ବିଶେଷ କରି ଜିଲା ପ୍ରଶାସନ, ସାମ୍ବାଦିକ ତଥା ସହରର ବୁଦ୍ଧିଜୀବୀ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ସହରର ବିକାଶମୂଳକ କାର୍ଯ୍ୟ ସମ୍ପାଦନରେ ସ୍ୱର୍ଗତ ଦାସ ପାରଙ୍ଗମ ଥିଲେ ବୋଲି ସେମାନେ କହିଥିଲେ । ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଉଜ୍ଜ୍ୱଳ ଚନ୍ଦ୍ର କର, ମିହିର ମହାପାତ୍ର, ବ୍ରହ୍ମାନନ୍ଦ ସ୍ୱାଇଁ, ସୁରେନ୍ଦ୍ର ଜେନା, ରାଧା ପ୍ରବୀଣ ଦାସ, ସତ୍ୟପ୍ରିୟ ମହାନ୍ତି, ମଧୁସୂଦନ ବେହେରା, ଜିଲା କ୍ରୀଡ଼ା ସଙ୍ଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ, ଧ୍ୱନି ପ୍ରତିଧ୍ୱତି ଖବର କାଗଜର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ଜିଲା ପରିଷଦ ସଦସ୍ୟ ସୀତାନାଥ ପ୍ରଧାନ, ଆଇନଜୀବୀ ମନୋଜ ନାୟକ, ସୂର୍ଯ୍ୟକାନ୍ତ କର, କବି ଅଭୟ ଦାସ, ଯୁବ ଉଦ୍ୟୋଗୀ ଲକ୍ଷ୍ମୀନାରାୟଣ ମହାନ୍ତି, ଆଜିକାଲି ଖବରକାଗଜର ପ୍ରକାଶକ କିଶୋର ଦାସଳ ମଦନ ଦାସ, କାହ୍ନୁଚରଣ ଦାସ, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନୀ ଓ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ସାମ୍ୟବାଦୀ ତଥା କର୍ତ୍ତବ୍ୟନିଷ୍ଠ ଅଧିକାରୀ, ସଂଗଠନ ପ୍ରେମୀ, ସାମାଜସେବୀ ତଥା ମେଳାପୀ ବ୍ୟକ୍ତିତ୍ୱ ଭାବେ ସ୍ୱର୍ଗତ ଦାସଙ୍କ ନିଆରା କାର୍ଯ୍ୟଧାରା ଓ ଆଦର୍ଶ ସାମ୍ବାଦିକଙ୍କ ସମେତ ଯୁବପିଢ଼ିଙ୍କୁ ସର୍ବଦା ପ୍ରେରଣା ଦେଉଥିବ ବୋଲି ସେମାନେ କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାରିଗ୍ରାହୀ ଏହି ସ୍ମୃତିସଭାରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସ୍ୱର୍ଗତ ଦାସଙ୍କ ପୁତ୍ର ଅଭିରାମ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


