ପୌରପାଳିକାର ସ୍ୱାୟତ୍ତ ଶାସନ ଦିବସ
ବାଲେଶ୍ୱର,(ସରୋଜ ପଣ୍ଡା): ବାଲେଶ୍ୱର ପୌରପାଳିକା ପକ୍ଷରୁ ପୌରପାଳିକାର ୧୫୦ତମ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଏକ ଭବ୍ୟ ଉଦ୍ଘାଟନୀ ସମାରୋହ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଅବସରରେ ପୌରପାଳିକାର ଦୀର୍ଘ ୧୫୦ ବର୍ଷର ଗୌରବମୟ ଯାତ୍ରା, ନଗରର ବିକାଶ ଏବଂ ନାଗରିକ ସେବା କ୍ଷେତ୍ରରେ ଏହାର ଅବଦାନକୁ ସ୍ମରଣ କରାଯାଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇଥିଲେ । ତାଙ୍କ ସହିତ ମାନ୍ୟବର ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲେଶ୍ୱର ପୌରପାଳିକା, ଶ୍ରୀଯୁକ୍ତ ସିରିଆଲ ପଟେଲ ଏବଂ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ଅନେକ ବାଲେଶ୍ୱର ପୌରପାଳିକାର ପରିଷଦ ଓ ମାନ୍ୟଗଣ୍ୟ ବ୍ୟକ୍ତି ଗଣ ମଞ୍ଚାସୀନ ହୋଇଥଲେ। ଅତିଥିମାନେ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ପୌରପାଳିକାର ଗତ ୧୫୦ ବର୍ଷର ଯାତ୍ରା ଓ ବାଲେଶ୍ୱର ସହରର ବିକାଶରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନାଗରିକଙ୍କ ନିକଟରେ ପ୍ରଶାସନ ଓ ମୌଳିକ ସେବା ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ନଗରାଞ୍ଚଳର ସୁପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଓ ଆଲୋକୀକରଣ, ନାଗରିକ ସୁବିଧା ଏବଂ ନଗରର ସାମଗ୍ରିକ ବିକାଶରେ ପୌରପାଳିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୫୦ତମ ସ୍ୱାୟତ୍ତ ଶାସନ ଦିବସ ପାଳନ ମାଧ୍ୟମରେ ପୌରପାଳିକାର ଐତିହ୍ୟ ଓ ପରମ୍ପରାକୁ ସମ୍ମାନ ଦେବା ସହିତ ଆଗାମୀ ଦିନରେ ଏକ ସୁନ୍ଦର, ସ୍ୱଚ୍ଛ, ସୁସ୍ଥ ଓ ସୁବ୍ୟବସ୍ଥିତ ବାଲେଶ୍ୱର ସହର ଗଠନ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ସମାରୋହରେ ପୌରପାଳିକାର ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ଓ ବହୁ ସଂଖ୍ୟକ ନାଗରିକ ଯୋଗଦେଇଥିଲେ। ଅତିଥିମାନେ ପୌରପାଳିକାର ଐତିହାସିକ ଗୌରବକୁ ସ୍ମରଣ କରି ଏହାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ। ଏହି ଐତିହାସିକ ଦିବସ ପାଳନ ବାଲେଶ୍ୱର ପୌରପାଳିକାର ୧୫୦ ବର୍ଷର ସେବା, ପ୍ରଗତି ଓ ପରମ୍ପରାକୁ ସ୍ମରଣ କରିବା ସହ ଆଗାମୀ ଦିନରେ ନଗରର ସାମଗ୍ରିକ ବିକାଶ ପାଇଁ ଏକ ନୂତନ ସଂକଳ୍ପର ସନ୍ଦେଶ ପ୍ରଦାନ କରିଥିଲା।


