ଇକୋ – ସେନ୍ସିଟିଭ୍ ଅଞ୍ଚଳକୁ ଇଡକୋ ଜରିଆରେ : ବେଆଇନ ବିକ୍ରି ଉଦ୍ୟମ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ବିଶ୍ଵ ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ବିଶ୍ଵସ୍ତରୀୟ ରୂପରେଖ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆରମ୍ଭ କରିବା ଦେଖାଦେଇଛି । ତେବେ ଏ ନେଇ ପରିବେଶ କୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇ, ଏଠାରେ ଥିବା କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟକୁ ବିପଦରେ ପକାଇ ଏହାର କିଛି ଅଂଶ ସହିତ ଏହାର ଇକୋ–ସେନ୍ସିଟିଭ୍ ଅଞ୍ଚଳକୁ ମିଶାଇ ପ୍ରଥମ ପର୍ଯ।ୟରେ ସମୁଦ୍ର ନିକଟସ୍ଥ ପ୍ରାୟ ୩୦୦ ଏକର ଜମିକୁ ସରକାରୀ ସଂସ୍ଥା ଇଡକୋ ଜରିଆରେ ଖଣ୍ଡ ଖଣ୍ଡ କରି ହୋଟେଲ ମାଲିକମାନଙ୍କୁ ବିକ୍ରି କରିବା ଉଦ୍ୟମକୁ ସ୍ଥାନୀୟ ଜନସାଧାରଣ ତଥା ବିଭିନ୍ନ ପରିବେଶବିତ ନାପସନ୍ଦ କରିଛନ୍ତି । ଏ ନେଇ ଏକ ଜନସ୍ଵାର୍ଥ ମାମଲା ଓଡିଶା ଉଛ ନାୟାଳୟରେ ରୁଜ୍ଜୁ ହୋଇଅଛି । ଏହି ଗମ୍ଭୀର ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି । ଘଟଣାରୁ ପ୍ରକାଶ, ମୌଜା କୋଣାର୍କ ହାଲ ଖାତା ନମ୍ବର ୫୨୮, ହାଲ ପ୍ଲଟ ନମ୍ବର ୨୧୩୭,୨୧୪୩,୨୨୨୬, ଓ ହାଲ ଖାତା ନମ୍ବର ୫୩୧, ହାଲ ପ୍ଲଟ ନମ୍ବର ୨୧୩୬, ୨୦୧୫/୨୭୬୯, ୨୦୧୫ ସମ୍ବନ୍ଧ ମୋଟ ୭୦ ଏକରରୁ ଉର୍ଦ୍ଧ୍ଵ ଜମି ଇଡକୋ ଜରିଆରେ ହୋଟେଲ ମାଲିକମାନଙ୍କୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ସମସ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇଛି । ପ୍ରାୟ ୮୦ ହଜାରରୁ ଉର୍ଦ୍ଧ୍ଵ ଝାଉଁ ଗଛ ଏହି ଜମିଉପରେ ଅଛି ଏବଂ ଏହି ସମସ୍ତ ଅଂଚଳ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ଦ୍ଵାରା ରକ୍ଷଣା ବେକ୍ଷଣ କରାଯାଉଅଛି । ଏହି ପ୍ରସ୍ତାବିତ ଜମି ସମ୍ପୂର୍ଣ ଭାବେ ଅତି ସଂବେଦନଶୀଳ ସି॰ଆର॰ଜେଡ୍॰ ଓ ଇକୋ–ସେନ୍ସିଟିଭ୍ ଅଂଚଳ ମଧ୍ୟରେ ଆସୁଅଛି । ଆହୁରି ମଧ୍ୟ ଏହି ପ୍ରସ୍ତାବିତ ଜମିର କିଛିକାଂଶ କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ଆସୁଥିବାବେଳେ ଅଧାରୁ ଅଧିକ ମାଘ ମେଳା ପଡିଆ ପାଇଁ ମାଷ୍ଟର ପ୍ଳାନରେ ପୁରୀ କୋଣାର୍କ ଉନ୍ନୟନ ସଂସ୍ଥା ଦ୍ଵାରା ସଂରକ୍ଷିତ ରଖାଯାଇଛି । ଏହି ସବୁ କାରଣରୁ ଉକ୍ତ ସ୍ଥାନରେ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାକୁ ଲିଜ କିମ୍ବା ଅନ୍ୟ କୌଣସି ପ୍ରକାରର ହସ୍ତାନ୍ତର ବେଆଇନ ହୋଇଥିଲେ ମଧ୍ୟ, କିପରି ତାହା କରାଯାଉଛି, ସେଥିନେଇ ସାଧାରଣରେ ଚିନ୍ତାବ୍ୟକ୍ତ କରାଯାଇଛି । ଏଥିନେଇ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ଓ ବିଭିନ୍ନ ପରିବେଶବିତ ମାନଙ୍କ ପକ୍ଷରୁ ଆନ୍ଦୋଳନ ଚାଲୁ ରହିଛି । କିନ୍ତୁ ଏହାକୁ ଖାତର ନକରି ବେଆଇନ ହସ୍ତାନ୍ତର ପ୍ରକ୍ରିୟା ଚାଲୁ ରଖାଯାଇଥିବାରୁ ସ୍ଥାନୀୟ ଜନସାଧାରଣ ବିନୟକ ସ୍ଵାଇଁ ଓ ଅନ୍ୟମାନଙ୍କ ପକ୍ଷରୁ ଉପରୋକ୍ତ ଅଭିଯୋଗସବୁକୁ ଭିତ୍ତି କରି ଏକ ଜନସ୍ଵାର୍ଥ ମାମଲା W.P.(C) No.3763/2021 ରୁଜ୍ଜୁ କରାଯାଇଅଛି । ଉକ୍ତ କେସକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି। ଉକ୍ତ ଜବାବ ଚଳିତ ମାସ ୧୧ ତାରିଖ ସୁଦ୍ଧା ଦେବାକୁ ନିର୍ଦେଶ ଦିଆଯାଇଛି । ଜଷ୍ଟିସ କେ. ଆର. ମହାପାତ୍ରଙ୍କ ଦ୍ଵାରା ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି I ଆବେଦନକାରୀ ଗ୍ରାମବାସୀଙ୍କ ପକ୍ଷରୁ କୋଣାର୍କ ବାର ଆସୋସିଏସନ ସଭାପତି ଆଇନଜୀବୀ ଶ୍ରୀଜୟ କୁମାର ବରାଳ ଓ ଆଇନଜୀବୀ ଶିବ ଶଙ୍କର ମହାନ୍ତି ପରିଚାଳନା କରୁଥିଲେ I ଯଦି ସରକାର ଏହି ଭୁଲ ନିଷ୍ପତ୍ତିକୁ ରଦ୍ଦ ନ କରନ୍ତି ତେବେ କୋଣାର୍କବାସୀଙ୍କ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବବୋଲି ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ସଭାପତି ଭାଗିରଥି ସ୍ଵାଇଁ, ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ସଭାପତି ସୁକାନ୍ତ ମହାନ୍ତି, ବରିଷ୍ଠ ପରିବେଶବିତ ରାଜକିଶୋର ମହାପାତ୍ର, ଭାସ୍କର ବେହେରା,ସରୋଜ କୁମାର ଜେନା ଚେତାବନୀ ଦେଇଛନ୍ତି ।


