ହିଞ୍ଜିଳିକାଟୁ ଦଳକୁ ୮୨ ରନ୍ ରେ ପରାସ୍ତ କରି ମୁଣ୍ଡମରାଇ ଦଳ ଫାଇନାଲରେ ପ୍ରବେଶ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡ଼ିୟମ ପରିସରରେ ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ ହିଞ୍ଜିଳିକାଟୁ ପ୍ରିମିୟମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବୁଧବାର ଇଗଲ କ୍ରିକେଟ କ୍ଳବ୍, ହିଞ୍ଜିଳିକାଟୁ ଓ ଗ୍ୟାଲେକ୍ସି ଏକାଦଶ କ୍ରିକେଟ କ୍ଳବ୍ ମୁଣ୍ଡମରାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳିକାଟୁ ଦଳ ଟସ୍ ଜିତି ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇ ବିପକ୍ଷ ମୁଣ୍ଡମରାଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା । ମୁଣ୍ଡମରାଇ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଡିଲୁ ୫୯ଟି ବଲରୁ ଧୁଆଁଧାର ୮୦ ରନ୍ ସଂଗ୍ରହ କରିଥିଲେ । ଜବାବରେ ହିଞ୍ଜିଳିକାଟୁ ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୧୦ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ଗ୍ୟାଲେକ୍ସି ଏକାଦଶ କ୍ରିକେଟ କ୍ଳବ୍, ମୁଣ୍ଡମରାଇ ଦଳ ୮୨ରନରେ ବିଜୟୀ ହୋଇଥିଲେ । ଅତିଥି ଭାବେ ଇଗଲ କ୍ରିକେଟ କ୍ଳବ୍ ର ସଭାପତି ତଥା ପୈାରାଞ୍ଚଳ ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା ଯୋଗଦେଇ ମୁଣ୍ଡମରାଇ ଦଳର ଡିଲୁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ପ୍ରଶାନ୍ତ ପାଢି ଓ ଶ୍ରୀଧର ମହାରଣା ଅମ୍ପ୍ୟାୟର ଦାୟିତ୍ୱରେ ଥିବା ବେଳେ ସୁରଜ ସାବତ ସ୍କୋରର ଓ ଜଗନ ଡାକୁଆ ଧାରା ବିବରଣୀ ପ୍ରଦାନ କରିଥିଲେ । ଶ୍ରୀତମ ପ୍ରଧାନ, ବସନ୍ତ ଗଉଡ,କାହ୍ନା ସାବତ, ଭଗବାନ ପାତ୍ର, ପ୍ରଶାନ୍ତ ପ୍ରଧାନ, ଉମା ମହାରଣା, ଅମୁଲ୍ୟ ପଣ୍ଡାଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସଦସ୍ୟ ମାନେ ସହଯୋଗ କରିଥିଲେ । ଶୁକ୍ରବାର ଫାଇନାଲ ମ୍ୟାଚ ଗ୍ୟାଲେକ୍ସି ଏକାଦଶ କ୍ରିକେଟ କ୍ଳବ୍, ମୁଣ୍ଡମରାଇ ଓ ପାଇନିୟର କ୍ରିକେଟ କ୍ଳବ୍, ବେଗୁନିଆପଡ଼ା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।


