ସବୁଠି ଅସମ୍ଭାଳ ଗହଳି : କରୋନା କଟକଣାକୁ ଫୁ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ଦୃତ ଗତିରେ ମାଡ଼ି ଆସୁଛି ମହାମାରୀ କରୋନା ଭୁତାଣୁ ସଂକ୍ରମଣର ତୃତୀୟ ଲହର । ଜନସାଧାରଣଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ୭ ତାରିଖ ଏବଂ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଗୁଡ଼ିକୁ ୧୦ ତାରିଖ ଠାରୁ ବନ୍ଦ କରିଛନ୍ତି । ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କୁ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମାଧ୍ୟମରେ ସଚେତନ ମଧ୍ୟ ଜାରି ରହିଛି । ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ପଞ୍ଚସୂତ୍ରୀ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ସକାଶେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଦିନକୁ ଦିନ ଅମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ସୂଚନା ମିଳିଛି । କୋଭିଡ଼ କଟକଣା ଅନୁପାଳନ ନିମନ୍ତେ ସହରବାସୀଙ୍କୁ ପୌର ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ବାରମ୍ବାର ସଚେତନ ଓ ଅନୁରୋଧ କରାଯାଉଛି । ହେଲେ ବହୁ ଅମାନିଆ ପ୍ରଶାସନର ନିର୍ଦ୍ଦେଶ ସହ କୋଭିଡ଼ କଟକଣାକୁ ବେଫିକର ହୋଇ ପାଳନ କରୁନଥିବା ପରିଲକ୍ଷିତ ହୋଇଛି । ସ୍ଥାନୀୟ ସହରର ଲକ୍ଷ୍ମୀବଜାର ସମେତ ପରିବା ଓ ଆମିଷ ବଜାରରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ପୂର୍ବ ପରି ନିତିଦିନିଆ ପାଲଟିଛି । ସାମାଜିକ ଦୂରତା ବଜାୟ ରଖିବା ତ ଦୂରର କଥା ଅଧିକାଂଶ ଲୋକ ମାସ୍କ ପରିଧାନ କରୁନଥିବା ଦେଖିବାକୁ ମିଳିଛି । ଯଦି ବା କିଏ ମାସ୍କ ପିନ୍ଧିଛି ତାହାର ବି ଷ୍ଟାଇଲ ଟିକେ ନିଆରା । ଧର୍ମକୁ ଆଖି ଠାର ଭଳି ମାସ୍କ ଟି ଓଠ ତଳେ ଝୁଲିଥିବା ଏବେ ଫେସନ ପାଲଟିଛି।ସତେ ଯେମିତି କରୋନା ସଂକ୍ରମଣକୁ ତିଳେମାତ୍ର ସେମାନଙ୍କ ଖାତିର ନ ଥିଲା ଭଳି ଦେଖା ଯାଇଛି। । ଗୋଟିଏ ପଟେ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ତୃତୀୟ ଲହର ବେଧଡ଼କ ଭାବେ କାୟା ବିସ୍ତାର କରି ଚାଲି ଥିବା ବେଳେ ପୌରାଞ୍ଚଳର ବହୁ ସାହିବସ୍ତିରେ ପ୍ରାୟ ଘରର ପରିବାର ଥଣ୍ଡା, କାଶ ଓ ଜ୍ୱରରେ ଆକ୍ରାନ୍ତ ହେଉଥିବା ପରିବେଶ ଓ ପରିସ୍ଥିତିରୁ ଜଣାପଡ଼ିଛି । କରୋନା ସଂକ୍ରମିତ ଚିହ୍ନଟ ହେବା ଆଶଙ୍କା କରି ବହୁ ଲୋକେ କରୋନା ପରୀକ୍ଷାକୁ ଏଡାଇ ଦେଉଥିବା ଜଣାପଡ଼ିଛି । ଏପରିକି ଡ଼ାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରିବା ପରିବର୍ତ୍ତେ ଔଷଧ ଦୋକାନୀ ଠାରୁ କିଛି ତୁଟୁକା ଔଷଧ କିଣି ରୋଗ ଉପଚାର କରୁଥିବା ଏବେ ଦେଖିବାକୁ ମିଳିଛି । ଏଭଳି ବିଷମ ପରିସ୍ଥିତିରେ ଗ୍ରାମାଞ୍ଚଳରେ ଆଡ୍ଡା ଜମାଇ ଥିବା କିଛି କ୍ୱାକ ରୋଗୀଙ୍କୁ ଆର୍ଥିକ ଶୋଷଣ କରି ମାଲାମାଲ ହେଉଥିବାର ନଜିର ରହିଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ ମହାମାରୀ କରୋନା ଓ ଓମିକ୍ରନକୁ ପ୍ରତିହତ କରିବା ପାଇଁ ସାଧାରଣ ଜନତା କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି ପାଳନ କରିବା ଦିଗରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ ହୋଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଏଠାରେ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ଦୃଢ଼ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ