କୋଭିଡ ଯୋଗୁଁ ସୀତା ପାହାଡରେ ଫିକା ପଡିଲା ମକର ପର୍ବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ପ୍ରଖ୍ୟାତ ସୀତା ପାହାଡରେ ମକର ପର୍ବ ବା ମକର ମେଳା ଏକ ମୁଖ୍ୟ ଉତ୍ସବ । ପ୍ରତ୍ୟେକ ବର୍ଷ ଏହି ସୀତା ପାହାଡରେ ମକର ପର୍ବ ବା ମକର ମେଳା ଅତ୍ୟନ୍ତ ଭକ୍ତିପୁତ ସହ ଜାକଜମକରେ ପାଳନ କରାଯାଏ । ହେଲେ ଚଳିତ ବର୍ଷ କୋଭିଡର ତୃତୀୟ ଲହର ଯୋଗୁଁ ପ୍ରଶାସନର କଟକଣା ଦ୍ୱାରା ପ୍ରଖ୍ୟାତ ସୀତା ପାହାଡରେ ମକର ପର୍ବ ବା ମକର ମେଳା ଫିକା ପଡିଥିବା ଦେଖାଦେଇଛି । ଗଜପତି ପ୍ରଶାସନ କୋଭିଡ ନିୟମ ଅନୁଯାୟୀ ଦୁରତାକୁ ରକ୍ଷା କରି ଏକ ସହ ଭକ୍ତଙ୍କ ମଧ୍ୟରେ ମେଲା ପାଳନ କରିବା ପାଇଁ ଅନୁମତି ଦେଇଛନ୍ତି । ହେଲେ ମେଳାରେ କେବଳ ବିଧିବିଧାନ ଅନୁଯାୟୀ ପୂଜା ପାଠ ବ୍ୟତିତ ବିଭିନ୍ନ ପସରା କିମ୍ବା କୌଣସି ସାଂସ୍କୃତୀକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କଟକଣା ରହିଛି । ଖବର ଲେଖିବା ସମୟ ସୁଦ୍ଧା କୌଣସି ଭକ୍ତ ସୀତା ପାହାଡରେ ପହଞ୍ଚି ନ ଥିବା ଖବର ମିଳିଛି । ପ୍ରତ୍ୟେକ ବର୍ଷ ଏହି ମେଳା ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ୩ଦିନ ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ଆଜିଠାରୁ ରବିବାର ପର୍ଯ୍ୟନ୍ତ ଏହି ମେଳା କେବଳ ବିଧିବିଧାନ ଅନୁଯାୟୀ ପୂଜା ପାଠ ଦ୍ୱାରା ହିଁ ଅନୁଷ୍ଠିତ ହେବ । ଆଜି ମକର ସଂକ୍ରାନ୍ତି ଅବସରରେ ସୀତା ପାହାଡରେ ଆରମ୍ଭ ହୋଇଥିବା ମକର ପର୍ବର ହୋମ ଓ ପୁଜାପାଠରେ ଯୋଗ ଦେଇଥିବା ମହେନ୍ଦ୍ରାଶ୍ରମର ଲକ୍ଷ୍ମୀବାବା, ପୂଜକ ପାର୍ବତୀ ମାଁ ଓ ରବି, ସୀତା ପାହାଡ ଉନ୍ନୟନ କମିଟିର ସଭାପତି ପ୍ରଫୁଲ ପ୍ରସାଦ ପାତ୍ର, ସମ୍ପାଦକ ଲକ୍ଷ୍ମୀ ନାରାୟଣ ପାତ୍ର କହିଛନ୍ତି ପୂଜା ରୀତିନୀତି ଅନୁଯାୟୀ ହୋମ ପୁଜାପାଠ ଆରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଦିନ ଠାରୁ ଶେଷ ପର୍ଯ୍ୟନ୍ତ ଏଠାରେ ଭକ୍ତଙ୍କ ଭିଡ ବେଶ ଜମେ । ହେଲେ ଚଳିତ ବର୍ଷ କୋଭିଡର ତୃତୀୟ ଲହର ଯୋଗୁଁ ବର୍ତ୍ତମାନ ସୁଦ୍ଦା ସେପରି କୌଣସୀ ଭକ୍ତ ସୀତା ପାହାଡକୁ ଆସି ନାହାଁନ୍ତି ।


