ଉପକୂଳ ଅଞ୍ଚଳର ଅନ୍ୟତମ ସଙ୍ଗଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ଦେଙ୍କ ଏକାନ୍ତ ସହଯୋଗୀ ତଥା ସଦର ବ୍ଲକର ଉପକୂଳ ପଞ୍ଚାୟତମାନଙ୍କରେ ବିଶିଷ୍ଟ ସମାଜସେବୀ ତଥା ସୁସଙ୍ଗଠକ ବର୍ଦ୍ଧନପୁରର ବାବୁରାମ ବଳଙ୍କ ୭୮ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ଗତ କିଛିମାସ ଧରି ସେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଘରେ ଚିକିତ୍ସାଧୀନ ଥିଲେ । ଗତକାଲି ହଠାତ ଅସୁସ୍ଥ ହୋଇପଡ଼ିବା ସହ ରାତି ପ୍ରାୟ ୧୨ଟା ୪୫ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁ ଖବର ପାଇ ଆଖପାଖ ପଞ୍ଚାୟତବାସୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶନିବାର ସକାଳେ ବର୍ଦ୍ଧନପୁରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କର ପ୍ରାର୍ଥିର୍ବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ବଳ ବଂଶର ନିଜସ୍ୱ ଶ୍ମଶାନରେ ଶୋକାକୂଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୧୯୪୪ ମସିହାରେ ପିତା ରାମଚନ୍ଦ୍ର ବଳଙ୍କ ତୃତୀୟ ପୁତ୍ର ଭାବେ ଜନ୍ମ ହୋଇଥିଲେ ସେ । ବାଲ୍ୟ ଶିକ୍ଷା ସମାପ୍ତ ପରେ ରେଳବାଇ ପୁଲିସ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ ସେ । ମାତ୍ର କିଛିବର୍ଷ ପରେ ଚାକିରି ଛାଡ଼ି ଗାଁ’କୁ ଫେରି ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିଲେ ସେ । କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣୀତ ହୋଇ ଅରୁଣ ଦେଙ୍କ ଏକାନ୍ତ ସହଯୋଗୀ ହୋଇ ଯାଇଥିଲେ । ସମାଜର ଅବହେଳିତ ବର୍ଗଙ୍କ ପାଇଁ ଦେବଦୂତ ସାଜି ପଞ୍ଚାୟତ ଆଖପାଖ ପଞ୍ଚାୟତ ନିର୍ବାଚନରେ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ଏମିତିକି ସ୍ୱର୍ଗତ ସୁଧାଂଶୁ ପଣ୍ଡାଙ୍କୁ ବି ସେ ରାଜନୀତି ଆଣି ସରପଞ୍ଚ ଭାବେ ନିର୍ବାଚିତ କରିପାରିଥିଲେ । ସଦର ବ୍ଲକ ଅଞ୍ଚଳରେ ସୁଧାଂଶୁ ପଣ୍ଡା ଓ ବାବୁରାମ ବଳଙ୍କ ଯୋଡ଼ି ସେତେବେଳେ ସମସ୍ତଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା । ଜଣେ ଆଦର୍ଶବାଦୀ, ସୁସଙ୍ଗଠକ, ମେଳାପୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।