ବନ୍ୟା ପ୍ରଭାବିତ ଅଂଚଳରେ ସ୍ଥିତି ପରିଖିଲେ ସାଂସଦ ଓ ବିଧାୟକ
ବାଲେଶ୍ବର(ସରୋଜ ପଣ୍ଡା): ଲଘୁଚାପ ଜନିତ ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ବି ଅନେକ ଗ୍ରାମରେ ଜଳବନ୍ଦୀ ହୋଇ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି ଅନେକ ପରିବାର । ବିଗତ ୪ଦିନ ଧରି ସଦର ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ ପଂଚାୟତକୁ କେଉଁଠି ବୋଟ ବା ଡଙ୍ଗା ଅଥବା କେଉଁଠି ବାଇକ ଯୋଗେ ପହଂଚି ଲୋକଙ୍କୁ ଆଶ୍ୱସ୍ତି ଦେବା ନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି କ୍ରମରେ ବିଧାୟକ ଶ୍ରୀ ଦତ୍ତ ଶନିବାର ସକାଳେ ପ୍ରଥମେ ଓଲନ୍ଦାସାରଗାଁ ପଂଚାୟତରେ ବିଭିନ୍ନ ଅଂଚଳର ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରିଛନ୍ତି । ଏହା ସହିତ ଆଶ୍ରୟସ୍ଥଳୀରେ ଥିବା ପଂଚାୟତବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ ନେଇ ବ୍ୟବସ୍ଥାର ସୁପରିଚାଳନା ଉପରେ ମଧ୍ୟ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଛନ୍ତି । ପରେ ବୁଢାବଳଙ୍ଗ ନଦୀରେ ଭୀଷଣ ବନ୍ୟା ଯୋଗୁଁ ଅଧିକ ପ୍ରଭାବିତ ଗୋପୀନାଥପୁର ପଂଚାୟତର ଟିଆଖିଆ, ଗୋବିନ୍ଦପୁର, ରଣସାହି, ତେଲଡିହ ଓ ହସନପୁର ପ୍ରଭୃତି ଅଂଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ ପୂର୍ବକ ଘରକୁ ଘର ବୁଲି ବିଧାୟକ ଶ୍ରୀ ଦତ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଗୋପୀନାଥପୁର ପଂଚାୟତରେ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ନିରବିଚ୍ଛିନ ଉଦ୍ୟମ ଜାରି ରହିଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ପରେ ଅନ୍ୟତମ ବନ୍ୟାପ୍ରବଣ ଅଂଚଳ ଗୋପୀନାଥପୁର ପଂଚାୟତର ବାହାର୍ଦ୍ଦା ଗ୍ରାମରେ ପହଂଚିଥିଲେ ବିଧାୟକ ଶ୍ରୀ ଦତ୍ତ । ଏହି ଅବସରରେ ତାଙ୍କ ସହ ସ୍ଥିତି ପରିଖିବା ପାଇଁ ଯାଇଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଉଭୟ ବିଧାୟକ ଓ ସାଂସଦ ବାଇକ ଯୋଗେ ଗୋପୀନାଥପୁର ପଂଚାୟତର ଜନଜୀବନ ଏବଂ ଚାଷର କ୍ଷୟକ୍ଷତିର ସମୀକ୍ଷା କରିବା ସହିତ ବାହାର୍ଦ୍ଦା ଗ୍ରାମର ବନ୍ୟା ପିଡ଼ିତଙ୍କ ସହ ଆଲୋଚନା କରିଥିଲେ । ଗ୍ରାମର ଅଧିକାଂଶ ଘର ଜଳବନ୍ଦୀ ଅବସ୍ଥାରେ ଥିବାରୁ ସ୍ଥାନୀୟ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବା ଉପରେ ଉଭୟ ବିଧାୟକ ଓ ସାଂସଦ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସେମାନେ ବନ୍ୟା ପିଡ଼ିତଙ୍କୁ ରନ୍ଧାଖାଦ୍ୟ ବଂଟନ ସହ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମେଡିସିନ ଓ ପାନୀୟ ଜଳ ବଂଟନ କରିଥିଲେ । ଶେଷରେ ବିଧାୟକ ଶ୍ରୀ ଦତ୍ତ ପରିଖି ପଂଚାୟତର ବିଭିନ୍ନ ଅଂଚଳ ଗସ୍ତ କରି ବନ୍ୟା ଓ ପ୍ରଭାବିତ ଲୋକଙ୍କ ପୁନର୍ବାସର ସ୍ଥିତି ଅନୁଧ୍ୟାନ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ପ୍ରତ୍ୟେକ ବନ୍ୟା ପିଡିତଙ୍କ ନିକଟରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ରିଲିଫ ସହାୟତା ପହଂଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ବନ୍ୟା ବିପର୍ଯ୍ୟୟର ଏହି କଠିନ ସମୟରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରହିବା ଏବଂ ସମସ୍ତ ପ୍ରକାର ସହାୟତା ପହଂଚାଇବା ପାଇଁ ଆମେ ସଦା ତତ୍ପର ରହିଛୁ ବୋଲି ସେ କହିଛନ୍ତି ।


