କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୌଜନ୍ୟମୂଳକ ସାକ୍ଷାତ
ବାଲେଶ୍ଵର, (ସରୋଜ ପଣ୍ଡା): ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ତଥା କେନ୍ଦ୍ର ସମବାୟ ବିଭାଗର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜନଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ରାଜ୍ୟର ବିକାଶ ସହ ଜଡ଼ିତ ବିଭିନ୍ନ ସମସ୍ୟା ଏବଂ ସେଗୁଡ଼ିକର ଶୀଘ୍ର ଓ ସ୍ଥାୟୀ ସମାଧାନ ସମ୍ପର୍କରେ ତାଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହିପରି ବାଲେଶ୍ୱର ଲୋକସଭା କ୍ଷେତ୍ର ଓ ବାଲେଶ୍ୱର ଜିଲ୍ଲାର ସାମଗ୍ରିକ ବିକାଶ, ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ବିଷୟ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣି ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରାଯାଇଥିଲା।
ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଉପସ୍ଥାପିତ ସମସ୍ତ ପ୍ରସଙ୍ଗକୁ ସକାରାତ୍ମକ ଦୃଷ୍ଟିରେ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଆଶ୍ୱାସନ ପ୍ରଦାନ କରିଥିବା ସୂଚନା ମିଳିଛି। ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ସହ ଓଡ଼ିଶା ଏବଂ ବାଲେଶ୍ୱରର ସାମଗ୍ରିକ ବିକାଶ ପାଇଁ ଏଭଳି ପ୍ରୟାସ ନିରନ୍ତର ଜାରି ରହିବ ବୋଲି ପ୍ରକାଶ କରାଯାଇଛି।


