ଜିଲ୍ଲାପାଳଙ୍କ ରାୟଗଡ ବ୍ଲକ ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରାୟଗଡ ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ, ଉଦ୍ୟାନ, ମିଶନ ଶକ୍ତିର ମହିଳା ସଂଘ ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ କାର୍ଯ୍ୟର ପରିଦର୍ଶନ କରିଥିବାର ଜଣାପଡିଛି । ଜିଲ୍ଲାପାଳ ଶ୍ରୀ ପଣ୍ଡା ବ୍ଲକର ମୁଖ୍ୟତଃ ଜିରାଙ୍ଗ, ରଘୁନାଥପୁର ଆଦି ଅଞ୍ଚଳକୁ ଗସ୍ତ କରିଥିଲେ । ସେ ଜିରାଙ୍ଗ ଠାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଯିହବାଯିହବା ଜିରିର ମହିଳା ସଂଘ ସଦସ୍ୟଙ୍କ ଦ୍ୱାରା ଆଦାୟ କରାଯାଉଥିବା ବିଦ୍ୟୁତ ବିଲ୍ ସମ୍ପର୍କିତ ମହିଳା ସଦସ୍ୟାଙ୍କୁ ଭେଟି ପଚାରି ବୁଝିଥିଲେ । ଏହାପରେ ଜିରାଙ୍ଗ ଗ୍ରାମ ଠାରେ ଥିବା ମହିଳା ସଂଘ ଦ୍ୱାରା ପରିଚାଳିତ ସିଲେଇ କେନ୍ଦ୍ର ଠାରେ ପହଂଚି ସେଠାକାର ଭିତ୍ତିଭୂମି ଓ କୋଠାବାଡି ପରିଦର୍ଶନ କରି ପଚାରି ବୁଝିଥିଲେ । ଏହାପରେ ଜିରାଙ୍ଗ ଗ୍ରାମ ନିକଟବର୍ତ୍ତୀ ରଘୁନାଥ ପୁର ଠାରେ ପହଂଚି ମନେରେଗା ଯୋଜନାରେ ପରିଚାଳିତ ହେଉଥିବା ଆମ୍ବ ବଗିଚା ବୁଲି ଦେଖିଥିଲେ । ଏଠାରେ ପ୍ରାୟ ୩୦ଜଣ ଚାଷୀ ଉକ୍ତ ମନେରେଗା ଯୋଜନାରେ ୧୯.୫ ହେକ୍ଟର ଜମିରେ ଏହି ଆମ୍ବ ବଗିଚା କରିଥିବାର ଜଣାପଡିଛି । ଏତଦ୍ ବ୍ୟତୀତ ଭାଗବନ୍ଧା ଗ୍ରାମ ଠାରେ ଛତୁ ଉତ୍ପାଦନ କେନ୍ଦ୍ରକୁ ଯାଇ ହିତାଧିକାରୀ ସିଦ୍ଧାର୍ଥ କୁମାର ଗମାଙ୍ଗଙ୍କୁ ଭେଟି ଉତ୍ପାଦନ ଆଦି ସମ୍ପର୍କିତ ତଥ୍ୟ ପଚାରି ବୁଝିଥିଲେ । ସୂଚନା ଯୋଗ୍ୟ ଯେ, ହିତାଧିକାରୀ ଶ୍ରୀ ଗମାଙ୍ଗ ୭୬ହଜାର ଟଙ୍କା ବ୍ୟାଙ୍କ ଋଣ ନେଇ ଏହି ଛତୁ ଉତ୍ପାଦନ କେନ୍ଦ୍ର ଖୋଲିଥିଲେ । ଯେଉଁ ଥିରେ କି ୩୮ହଜାର ଟଙ୍କା ସବ୍ସିଡି ରହିଛି । ସେ ବର୍ତ୍ତମାନ ଦୈନିକ ହାରାହାରି ୧୦୦କେଜି ଛତୁ ଉତ୍ପାଦନ କରି ଭଲ ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହୋଇପାରିଛନ୍ତି । ଏ ସବୁ ତଥ୍ୟ ପଚାରି ବୁଝି ଜିଲ୍ଲାପାଳ ଶ୍ରୀ ପଣ୍ଡା ବେଶ ଖୁସି ପ୍ରକଟ କରିଥିବାର ଜଣାପଡିଛି ।