ରମଣ ପ୍ରଭାବ

ବିପିନ ବିହାରୀ ମହାନ୍ତି
ଭାରତରେ ୨୮ ଫେବୃୟାରୀ ଦିବସଟିକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳିତ ହୁଏ । ଏହା ଭାରତର ତଥା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଡା. ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ସ୍ମୃତିଚାରଣ ଦିବସରୂପେ ସାଧାରଣତଃ ପାଳିତ ହୋଇ ଆସୁଛି । ଏହା ତାଙ୍କ ଉତ୍ସର୍ଗୀକୃତ ଜୀବନ ପାଇଁ ଏକ ସମର୍ପିତ ଦିବସ । ସମଗ୍ର ଦେଶର ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶୈକ୍ଷିକ ଅନୁଷ୍ଠାନ ତଥା ବୈଜ୍ଞାନିକ ଗବେଷଣା ଓ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ – ଅଧ୍ୟାପିକା ଏବଂ ଗବେଷକ-ଗବେଷିକାମାନଙ୍କ ଦ୍ୱାରା ସମ୍ମାନର ସହିତ ଏହା ପାଳନ କରାଯାଏ । ଏନେଇ ନାନା ଆଲୋଚନା, ଭାଷଣ ଏବଂ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୁଏ । ସଂବାଦପତ୍ର ବା ଗଣମାଧ୍ୟମରେ ତାଙ୍କ କୃତିତ୍ୱ ପାଇଁ ନାନା ଲେଖା ଏବଂ ଆଲୋଚନାମାନ ହୁଏ । ଡା. ଭେଙ୍କଟରମଣ ତାମିଲ ନାଡ଼ୁର ଆୟନ ପେଟାରେ ଜନ୍ମ ଲାଭ କରିଥିଲେ । ଶିକ୍ଷା ସମାପ୍ତିପରେ ତାଙ୍କର ଅଧ୍ୟାପନା ଏବଂ ବୈଜ୍ଞାନିକ ଜୀବନ ଆରମ୍ଭ ହୋଇଥିଲା । ସେ ୧୯୨୮ ଫେବୃୟାରୀ ୨୮ରେ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭ ‘ରମଣ ପ୍ରଭାବ’ ଉପସ୍ଥାପନା କରିଥିଲେ ଯାହାକି ବିଶ୍ୱବାସୀଙ୍କ ଚମତ୍‌କୃତ ବା ହତ୍‌ଚମକ ସୃଷ୍ଟି କରାଇଥିଲା । ଚନ୍ଦ୍ରଶେଖର ଭେଙ୍କଟରମଣଙ୍କର ନାଁର ଶେଷ ଶବ୍ଦ ବା ସାଙ୍ଗିଆକୁ ନେଇ ଏ ସନ୍ଦର୍ଭର ନାମ ରଖାଯାଇଥିଲା ‘ରମଣ ପ୍ରଭାବ’ । ଏଥିପାଇଁ ରମଣଙ୍କୁ ୧୯୩୦ରେ ନୋବେଲ ପୁରସ୍କାର ମିଳିଥିଲା । ଭାରତ ତରଫରୁ ତାଙ୍କୁ ୧୯୫୪ରେ ବିଜ୍ଞାନରେ ପ୍ରଥମ ‘ଭାରତରତ୍ନ’ ଉପାଧି ବା ସମ୍ମାନରେ ମୁକୁଟ ମଣ୍ଡିତ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ୧୯୫୪ ମସିହାରେ ହିଁ ପ୍ରଥମ କରି ଭାରତର ତିନିଜଣ ବିଶିଷ୍ଟ ବ୍ୟକ୍ତି ଯଥା ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌, ସି. ଭି. ରମଣ ଏବଂ ଚକ୍ରବର୍ତ୍ତୀ ରାଜଗୋପାଲଚାରୀଙ୍କୁ ଭାରତ ରତ୍ନ ଉପାଧି ଦିଆଯାଇଥିଲା । ଖାଲି ସେତିକି ନୁହେଁ ‘ରୁଷିଆ ତରଫରୁ ତାଙ୍କ ଦେଶର ସର୍ବଶ୍ରେଷ୍ଠ ‘ଶାନ୍ତି’ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଥିଲା । ଆଉ ଅନ୍ୟାନ୍ୟ ପୁରସ୍କାର କଥା କହିବା କ’ଣ? ତାଙ୍କୁ ନେଇ ଭାରତ ଗର୍ବିିତ । ବିଶ୍ୱଦରବାରରେ ମଥୋନ୍ନତ । ଦୁଃଖ ଯେ ଆମେ ତାଙ୍କୁ ୧୯୭୦ ମସିହା ନଭେମ୍ବର ୨୧ ତାରିଖରେ ହରାଇ ବସିଲୁ । ‘ରମଣ ପ୍ରଭାବ’ କ’ଣ? ଏମିତିରେ ଏହାକୁ ବୁଝାଇ ନକହି ଏତିକି କହିଲେ ଯଥେଷ୍ଟ ହେବ ଯେ ଏହା ଏପରି ଏକ ଆଲୋକ ଭିତ୍ତିକ ବୈଜ୍ଞାନିକ ଉଦ୍ଭାବନ ଯାହାର ପ୍ରୟୋଗ ବହୁମୁଖୀ ଭାବେ ଯଥା ମହାକାଶବିଜ୍ଞାନ, ଜୈବବିଜ୍ଞାନ, ଜୈବ ପ୍ରଯୁକ୍ତି ବିଦ୍ୟା, ଭୌତିକ ବିଦ୍ୟା ଏବଂ ମଲିକୁଲାର ଜେନେଟିକସ୍ ଇତ୍ୟାଦି କ୍ଷେତ୍ରରେ ପ୍ରୟୋଗ ହୋଇ କଳ୍ପନାତୀତ ଉନ୍ନତି ଓ ପ୍ରଗତି ସୃଷ୍ଟି କରିପାରିଛି । ଏକଥା ଜାଣିବା ଉଚିତ୍ ଯେ ପ୍ରତ୍ୟେକ ବିଦ୍ୟାର ଶାନ୍ତିପ୍ରିୟ ବିନିଯୋଗ ସହିତ ଧ୍ୱଂସକାରୀ ଶକ୍ତି ଅଛି । ଡକ୍ଟର ରମଣଙ୍କର ଏହି ରମଣ ପ୍ରଭାବକୁ ଏବେ କେତେକ ଖଳଲୋକ, ବୈଜ୍ଞାନିକ ବି ହୋଇପାରନ୍ତି, ଖଳ ଦେଶ ତଥା ରାଜନେତା ଏହାକୁ ସ୍ୱାର୍ଥ ସାଧନ ନିମନ୍ତେ ଧ୍ୱଂସକାରୀ ଶକ୍ତିରୂପେ ବ୍ୟବହାର ପାଇଁ ଅଣ୍ଟା ଭିଡ଼ିଲେଣି । ଏକଥା ଯଦି ହୁଏ, ଆମେ ଏ ମଣିଷ ଜାତି ମୃତ୍ୟୁ ଆଡ଼କୁ ଖୁବ୍ ଜୋରରେ ଦୌଡ଼ୁଛୁ ବୋଲି କହିବା । ପରମାଣୁ ବୋମାର ଉଦ୍ଭାବକ ଏଇନ୍‌ଷ୍ଟାଇନ ଯେତେବେଳେ ଜାପାନର ହିରୋସିମା ଓ ନାଗାସାକିର ଏହା ପ୍ରୟୋଗର ପରିଣତି ଦେଖିଲେ, ଦୁଃଖର ସହିତ କହିଲେ : ଯଦି ୩ୟ ବିଶ୍ୱଯୁଦ୍ଧ ହୁଏ, ପୃଥିବୀରୁ ମାନବ ସଭ୍ୟତା ଲୋପ ପାଇଯିବ । ଏଣୁ ଆସନ୍ତୁ, ରମଣ ପ୍ରଭାବର ଶାନ୍ତିପୂର୍ଣ୍ଣ ବିନିଯୋଗ କରିବା ଏବଂ ରମଣଙ୍କ ପରି କିଛି କରି ଦେଖାଇଦେବା । କିଛି ନକରି ଖାଲି ସ୍ମୃତି ଚାରଣ କରିବାରେ କିଛି ମାନେ ନଥାଏ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ