ସୁପ୍ରିମ୍ କୋର୍ଟରେ ରାଫେଲ୍ ରିଭ୍ୟୁ ପିଟିସନ୍ ଖାରଜ
ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ) : ଫ୍ରାନ୍ସର ଡସଲ୍ଟ ଏଭିଏସନ୍ଠାରୁ ୩୬ଟି ରାଫେଲ୍ ଲଢୁଆ ବିମାନ କ୍ରୟ ବାବଦରେ ଏନ୍ଡିଏ ସରକାରଙ୍କୁ ସୁପ୍ରିମ୍କୋର୍ଟ ଦେଇଥିବା କ୍ଲିନ୍ ଚିଟ୍ର ପୁନଃ ସମୀକ୍ଷା ପାଇଁ ଦାଏର କରାଯାଇଥିବା ପିଟିସନଗୁଡ଼ିକୁ ସୁପ୍ରିମ୍କୋର୍ଟ ଗୁରୁବାର ଦିନ ଖାରଜ କରିଛନ୍ତି । ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ “ଚୋର’ କହି ରାଜନୈତିକ ସମାଲୋଚନା କରିଥିବା ରାହୁଲ୍ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଅଦାଲତ ଅବମାନନା ମାମଲାକୁ ମଧ୍ୟ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି । ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟକ୍ତିତ୍ୱ ହୋଇଥିବାରୁ ଆଗକୁ ଭାବିଚିନ୍ତି ମନ୍ତବ୍ୟ ଦେବାକୁ ଅଦାଲତ ରାହୁଲ୍ ଗାନ୍ଧୀଙ୍କୁ କହିଛନ୍ତି । ଫରାସୀ ବିମାନ ନିର୍ମାତା ଡସଲ୍ଟ ଏଭିଏସନ୍ ସହ ହୋଇଥିବା ୫୯, ୦୦୦ କୋଟି ଟଙ୍କାର ରାଫେଲ୍ ଲଢୁଆ ବିମାନ କ୍ରୟ ରାଜିନାମାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଅଦାଲତ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଯାଉ ବୋଲି ହୋଇଥିବା ଆବେଦନକୁ ଡିସେମ୍ୱର ୨୦୧୮ ରାୟରେ ଖାରଜ କରାଯାଇଥିଲା ।ବିଚାରପତି ଏସକେ କଉଲ୍ ଏବଂ କେଏମ୍ ଜୋସେଫଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମେ ୧୦ ତାରିଖ ଦିନ ରିଭ୍ୟୁ ପିଟିସନ୍ ସମ୍ୱନ୍ଧୀୟ ରାୟ ସଂରକ୍ଷିତ ରଖିଥିଲେ । ଡିସେମ୍ୱର ୨୦୧୮ର ରାୟକୁ ପୁନଃ ସମୀକ୍ଷା କରିବାକୁ ଏହି ପିଟିସନଗୁଡ଼ିକରେ ଅନୁରୋଧ କରାଯାଇଥିଲା । ୩୬ଟି ରାଫେଲ୍ ଜେଟ୍ ଖରିଦ କରାଯିବାରେ ସଠିକ ପ୍ରକ୍ରିୟା ଅନୁସରଣ କରାଯାଇଥିବା କଥା ଡିସେମ୍ୱର ୨୦୧୮ ରାୟରେ କୁହାଯାଇଥିଲା । ରିଭ୍ୟୁ ଆବେଦନ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରି ଓ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ।


