କେନ୍ଦୁପଦରରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା ହତ୍ୟା ଘଟଣା :୧୦ କୋର୍ଟ ଚାଲାଣ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଶନିବାର ରାତିରେ ଆସିକା ବ୍ଳକ ତଥା ଗାଗଂପୁର ଥାନା କେନ୍ଦୁପଦରର ଗ୍ରାମରେ ଘଟିଥିବା ରାଜନୈତିକ ହିଂସା ଏବଂ ହତ୍ୟା କାଣ୍ଡ ସମ୍ପର୍କରେ ପୋଲିସ୍ ଅଧିକ ଖୋଳତାଡ଼ କରିବା ସହିତ ଦୁଇଦିନ ହେଲା ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଚଳାଇ ଆଜି 10 ଜଣଙ୍କୁ କୋର୍ଟ ଚାଲାଣ ଜରୁଛନ୍ତି । ପ୍ରକାଶ ଥାଉକି ଚଳିତ ନିର୍ବାଚନରେ ଆସିକା ବ୍ଳକ୍ ଅଧ୍ୟକ୍ଷ ହରେକୃଷ୍ଣ ମଳିକଙ୍କ ବଡଭାଇ ଭବାନୀ ଶଙ୍କର ମଳିକ ସରପଞ୍ଚ ଏବଂ ଭଉଣୀ ବାସନ୍ତୀ ପ୍ରଧାନ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ I ସେପଟେ ବିଧାୟିକାଙ୍କ ସରପଞ୍ଚ ପ୍ରାର୍ଥୀନୀ ମିନତି ସ୍ୱାଇଁ ଏବଂ ସମିତିସଭ୍ୟା ପ୍ରାର୍ଥୀନୀ ସୁମତି ସ୍ୱାଇଁ ନିର୍ବାଚନରେ ହାରିଯାଇଥିଲେ I ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା I ଯାହା ଚରମ ସୀମାରେ ପହଞ୍ଚିଥିଲା ଶନିବାର ବ୍ଳକ୍ ଅଧ୍ୟକ୍ଷ ନିର୍ବାଚନ ପରେ I ବୁଲୁ ସ୍ୱାଇଁ ନାମକ ଏକ 40 ବର୍ଷୀୟ ଯୁବକ ଟଳି ପଡିଥିଲେ ପ୍ରତିପକ୍ଷଙ୍କ ଆକ୍ରମଣରେ I ଏନେଇ ବୁଲୁର ସମର୍ଥକ ଥିବା ଗ୍ରାମର ନବୀନ ପଣ୍ଡା ନାମକ ଜଣେ ବ୍ୟକ୍ତି ଏତାଲା ଦେଇଛନ୍ତି ଯେ ବୁଲୁ କିଛି ପୂର୍ବ ବାକି ମାଗିବା ପାଇଁ ଗ୍ରାମକୁ ଯାଇଥିବା ବେଳେ ଅପର ଗୋଷ୍ଠୀର ଦଶରୁ 15 ଜଣ ଲୋକ ବୁଲୁକୁ ଅତର୍କିତ ଭାବେ ଆକ୍ରମଣ ମାରିଦେଇଥିଲେ I ଏନେଇ ପୋଲିସ୍ 101/22 ରେ ଏକ ମାମଲା ରୁଜୁ କରିଛି I ଅପରପକ୍ଷେ ଦିବ୍ୟଲତା ସ୍ଵାଇଁ ନାମକ ଜଣେ ମହିଳାଙ୍କ ଏତାଲା ପ୍ରକାରେ ଗ୍ରାମର ଗୋଟିଏ ଗୋଷ୍ଠୀ କାଲି ନିର୍ବାଚନରେ ହାରିଯିବା ପରେ ସେମାନେ ଆସି ଅପର ଗୋଷ୍ଠୀର ଘରେ କେହି ପୁରୁଷ ଲୋକ ନଥିବା ବେଳେ କାତି, କୁରାଢିରେ ଗ୍ରୀଲ ଏବଂ କବାଟ ବାଡେଇବା ସହ କିଛି ଲୋକଙ୍କୁ ଆକ୍ରମଣ କରିଥିଲେ I ଏନେଇ ପୋଲିସ୍ ଆସି ସମାଧାନ କରିକି ପଳେଇବା ପରେ ସେହି ଗୋଷ୍ଠୀ ପୁଣି ଥରେ ଅତର୍କିତ ଭାବେ ଆସି ଆକ୍ରମଣ କରି ମାଡ଼ ମାରିବା ସହ ଘରେ ପଶି ମହିଳା ମାନଙ୍କୁ ମଧ୍ୟ ଅସଦାଚରଣ କରିଥିଲେ I ଏନେଇ ପୋଲିସ୍ 102/22 ରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଛି । ଏନେଇ ପୋଲିସ୍ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଘଟଣାର ତଦନ୍ତ ଆରମ୍ଭ୍ କରିଥିଲା I ସମବାର ଦିନ ଘଟଣା ସ୍ଥଳକୁ ଗାଙ୍ଗପୁର ଥାନା ଅଧୀକାରୀ ଦେବ୍ କୁମାର ଗମାଙ୍ଗ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ, ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ଭଞ୍ଜନଗର ଏସଡିପିଓ, ଭଞ୍ଜନଗର ଆଡିସନାଲ୍ ଏସପି ବିଜୟ ମଲ୍ଲିକ ପ୍ରମୁଖ ପରିଦର୍ଶନ କରି ଘଟଣାର ଅଧିକ ଖୋଳତାଡ଼ କରିଛନ୍ତି I ଘଟଣାରେ ସଂପୃକ୍ତ ସନ୍ଦେହ କରି ପୋଲିସ ୨୨ ଜଣଙ୍କୁ ଅଟକ ରଖିଥିଲା । ବିଭିନ୍ନ ଦିଗରୁ ତଦନ୍ତ କଲାପରେ ପୋଲିସ କେନ୍ଦୂପଦର ଗ୍ରାମ ର ବଂଶୀଧର ଜେନା (୪୫), ମିଟୁ ଗୌଡ଼(୨୯), ପଞ୍ଚାନନ ସ୍ୱାଇଁ(୬୧), ବସନ୍ତ ସ୍ୱାଇଁ (୪୧), ରାଜେନ୍ଦ୍ର ସ୍ୱାଇଁ (୪୦), ବୁଲୁ ଭୂୟାଁ (୪୦), ଗୋପୀନାଥ ସ୍ୱାଇଁ (୬୬), ପିଣ୍ଟୁ ଓରଫ ସ୍ମୃତିରାଜ୍ ସ୍ୱାଇଁ (୩୪), ଗଣେଶ ପ୍ରଧାନ (୩୪),ବିପିନ ସ୍ୱାଇଁ (୪୦) ଘଟଣାରେ ସଂପୃକ୍ତ ଥିବା ଜାଣିପାରିଥିଲା । ଆଜି ଏ ୧୦ ଜଣ ଙ୍କୁ ଗାଙ୍ଗପୁର ପୋଲିସ ଆଇପିସି ଧାରା ୧୪୩/ ୧୪୪/ ୧୪୭/ ୧୪୮/ ୨୯୪/ ୩୪୧/୩୨୩/୩୨୪/୩୦୨/୩୦୭/୧୪୯ବି/୧୨୦ ରେ ଗିରଫ କରି ଆସିକା କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି । ଘଟଣା ରେ ଅଟକ ଥିବା ଅନ୍ୟ ମାନଙ୍କୁ ପୋଲିସ ପଚରାଉଚୁରା କରୁଛି । ସଂପୃକ୍ତି ଥିବା ଜାଣିବାକୁ ପାଇଲେ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।