ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ ସଫଳ ପାଇଁ ପଥପ୍ରାନ୍ତ ସଭା
ବାଲେଶ୍ୱର, (ସରୋଜ ପଣ୍ଡା) :କେନ୍ଦ୍ରରେ ମୋଦି ସରକାରଙ୍କ ଜନବିରୋଧୀ ନୀତିର ପ୍ରତିବାଦରେ ଆସନ୍ତା ୨୮ ଓ ୨୯ ତାରିଖ ୨ଦିନ ବ୍ୟାପୀ ହେବାକୁ ଥିବା ଧର୍ମଘଟ ତଥା ଭାରତବନ୍ଦକୁ ବାଲେଶ୍ୱରରେ ସଫଳ କରିବା ପାଇଁ ଶ୍ରମିକ ସଙ୍ଗଠନଙ୍କ ପକ୍ଷରୁ ଜନସଚେତନତା ଆରମ୍ଭ ହୋଇଛି । ସମୂହ ସ୍ୱାର୍ଥରକ୍ଷାରେ ହେବାକୁ ଯାଉଥିବା ଏହି ଧର୍ମଘଟକୁ ଜନସାଧାରଣଙ୍କ ସମର୍ଥନ ବୃଦ୍ଧି ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ପକ୍ଷରୁ ମିଳିତ ପଥପ୍ରାନ୍ତ ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସହରର ବିଚାରଗଞ୍ଜ ଫାଣ୍ଡିଛକ, ସିନେମାଛକ ଓ ବସଷ୍ଟାଣ୍ଡରେ ଆୟୋଜିତ ଏହି ପଥପ୍ରାନ୍ତ ସଭାରେ ଟିୟୁଏସିସିର ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, ନିର୍ମଳ ନାୟକ, ରବୀନ୍ଦ୍ର ବେହେରା, ସୁରେଶ ଚନ୍ଦ୍ର ବେହେରା, ବିକାଶ ଦାସ, ଶ୍ୟାମସୁନ୍ଦର ଜେନା, ଶରତ ଚନ୍ଦ୍ର ଦଳାଇ, ଛାତ୍ରନେତା ପ୍ରଶାନ୍ତ ଦାସ, ନାରୀନେତ୍ରୀ ବନ୍ଦନା ପାତ୍ର, କୃଷକ ନେତା ଅରୁଣ ଜେନା, ସନାତନ ନାୟକ, ସନ୍ତୋଷ ଦାସ, କୈଳାସ ନାୟକ ଓ ଉମାକାନ୍ତ ଦାସ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନବିରୋଧୀ ଶାସନ ନୀତିର ତୀବ୍ର ପ୍ରତିବାଦ କରିଥିଲେ । ଦେଶର ଜାତୀୟ ସମ୍ପତ୍ତିର ଘରୋଇକରଣ, ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଥିବା କଳକାରଖାନାଗୁଡ଼ିକୁ ପୁଞ୍ଜିପତିମାନଙ୍କ ହାତକୁ ଟେକିଦେବା, ମାଲିକ ସପକ୍ଷରେ ଶ୍ରମ ଆଇନ ସଂଶୋଧନ, ଅନିୟନ୍ତ୍ରିତ ଦରଦାମ ବୃଦ୍ଧି ଓ ଉତ୍କଟ ବେକାରୀ ସମସ୍ୟା ପ୍ରତିବାଦରେ ହେବାକୁ ଯାଉଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବାଲେଶ୍ୱରରେ ସଫଳ କରିବା ପାଇଁ ସେମାନେ ଆହ୍ୱାନ ଦେଇଥିଲେ । କେନ୍ଦ୍ରସରକାର ଜାତୀୟ ରାଜପଥ, ରେଳପଥ, ବିମାନବନ୍ଦର, ତୈଳକମ୍ପାନୀ, ବ୍ୟାଙ୍କ୍, ବୀମା, ଶିକ୍ଷା, ସ୍ୱାସ୍ଥ୍ୟଭଳି ଜନହିତକାରୀ ସଂସ୍ଥାମାନଙ୍କୁ ବ୍ୟବସାୟୀକରଣ ଓ ଘରୋଇକରଣ କରୁଥିବାରୁ ଏହାକୁ ବକ୍ତାମାନେ ଦୃଢ଼ ବିରୋଧ କରିଥିଲେ । ସ୍କିମ୍ ୱାର୍କରମାନଙ୍କୁ ସ୍ଥାୟୀ ନିଯୁକ୍ତି, ସମାନକାମକୁ ସମାନ ମଜୁରୀ, ଠିକାଶ୍ରମିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପାଇଁ ସେମାନେ ଦାବି କରିଥିଲେ । ଆସନ୍ତା ତା ୨୮ ଓ ୨୯ରିଖ ଧର୍ମଘଟ ପୂର୍ବରୁ ବାଲେଶ୍ୱର ସହରରେ ରବିବାର ଦିନ ଅପରାହ୍ନରେ ମୋଟରସାଇକେଲ୍ ଶୋଭାଯାତ୍ରାରେ ବହୁସଂଖ୍ୟାରେ ଯୋଗଦେବାକୁ ବକ୍ତାମାନେ ନିବେଦନ କରିଥିଲେ ।