ପ୍ରଧାନ ବିଚାରପତିଙ୍କ ଶେଷ କାର୍ଯ୍ୟ ଦିବସ, ମୌନ ରହିବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଂଜନ ଗୋଗଇ ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସରେ ନ୍ୟାୟପାଳିକା ଏବଂ ବିଚାରପତିଙ୍କ ସ୍ୱାଧୀନତା ନେଇ ସହକର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ମୌନ ରହି ବିଚାରପତିମାନେ ନିଜର ସ୍ୱାଧୀନତାକୁ ପ୍ରୟୋଗ କରିବା ଉଚିତ । ଜଷ୍ଟିସ୍ ଗୋଗଇ ୧୭ ନଭେମ୍ବରରେ ଅବସର ନେଉଥିବା ବେଳେ ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା । ଗଣମାଧ୍ୟମର ଭୂମିକାକୁ ମଧ୍ୟ ପ୍ରଧାନ ବିଚାରପତି ପ୍ରଶଂସା କରିଛନ୍ତି ଏବଂ ତାଙ୍କର ସଂପୂର୍ଣ୍ଣ କାର୍ଯ୍ୟକାଳରେ ଗଣମାଧ୍ୟମର ସହଯୋଗ ମିଳିଥିବା କହିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ଓକିଲମାନଙ୍କର କହିବାର ଅଧିକାର ଅଛି ଏବଂ ଏହା ରହିବା ଦରକାର । କିନ୍ତୁ ଖଣ୍ଡପୀଠର ବିଚାରପତିମାନେ ମୌନ ରହି ନିଜ ସ୍ୱାଧୀନତା ପ୍ରୟୋଗ କରିବା ଆବଶ୍ୟକ । ବିଚାରପତିମାନେ ସେମାନଙ୍କ ସ୍ୱାଧୀନତାକୁ କାଏମ ରଖିବା ପାଇଁ ମୌନ ରହିବା ଉଚିତ । ତେବେ ଏହାର ଅର୍ଥ ନୁହେଁ ଯେ ସେମାନଙ୍କୁ ଚୁପ୍ ରହିବାକୁ ହେବ, କେବଳ ନିଜର ଦାୟିତ୍ୱ ନିର୍ବାହ ପରିପ୍ରେକ୍ଷୀରେ ହିଁ ବିଚାରପତିମାନେ ମତପ୍ରକାଶ କରିବା ଆବଶ୍ୟକ । ଏହା ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ସେମାନଙ୍କୁ ମୌନ ରହିବା ହିଁ ଉଚିତ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ସୁପ୍ରିମ୍ କୋର୍ଟର ଅନ୍ୟ ୩ ଜଣ ବିଚାରପତିଙ୍କ ସହିତ ମିଶି ଏକ ସାମ୍ବାଦିକ ସମ୍ମିଳନୀ କରିବା ମାମଲାରେ ଜଷ୍ଟିସ୍ ଗୋଗଇ କହିଛନ୍ତି ଯେ ସେ ଅଚାନକ ଏଭଳି ନିଷ୍ପତ୍ତି ନେଇନଥିଲେ ।”ମୁଁ ଏଭଳି ଏକ ସଂସ୍ଥା ସହିତ ଯୋଡ଼ିହେବାକୁ ନିଷ୍ପତ୍ତି ନେଲି ଯାହାର ଶକ୍ତି ପ୍ରତି ଲୋକଙ୍କ ମଧ୍ୟରେ ଭରସା ଏବଂ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି । ଶେଷ କାର୍ଯ୍ୟ ଦିବସରେ ପ୍ରଧାନ ବିଚାରପତି ଗୋଗଇ ପରବର୍ତ୍ତୀ ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ସହ ୪ ମିନିଟର ଶୁଣାଣି କରିଥିଲେ ଏବଂ ତାଙ୍କ ପାଇଁ ଆସିଥିବା ୧୦ଟି ମାମଲାରେ ୧୦ଟି ନୋଟିସ୍ ଜାରି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ