୧୫ ଜୁଆ ଆଡ୍ଡାରେ ଚଢ଼ାଉ: ୭୫ ଗିରଫ
ଛତ୍ରପୁର, (ଓ୍ବାଇଏନଏସ): ପାର୍ବଣ ଋତୁରେ ସମଗ୍ର ଜିଲ୍ଲା ଉତ୍ସବମୁଖର ହୋଇଥିବା ବେଳେ ଜୁଆ କାରବାର ଉପରେ ଗଞ୍ଜାମ ଜିଲ୍ଲା ପୋଲିସ କଡ଼ା ନଜର ରଖିଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗତ ୨୦ ତାରିଖରେ ପ୍ରାୟ ୧୫ଟି ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୭୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏହି ଚଢ଼ାଉରେ ମୋଟ ୨ ଲକ୍ଷ ୪୬ ହଜାର ୭୨୦ ଟଙ୍କା ଜବତ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବି. ସି. ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଭଞ୍ଜନଗର ଥାନା ପୋଲିସ ୪ଟି ପୃଥକ ଜୁଆ ଆଡ୍ଡାରେ ଚଢ଼ାଉ କରି ୩୪ ଜଣଙ୍କୁ ଗିରଫ କରିଛି। ସେହିପରି କୋଦଳା ଥାନା ପୋଲିସ ୨ଟି ଜୁଆ ଆଡ୍ଡାରେ ଚଢ଼ାଉ କରି ୧୦ ଜଣ ଏବଂ ଗାଙ୍ଗପୁର ଥାନା ପୋଲିସ ୨ଟି ଜୁଆ ଆଡ୍ଡାରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ, ଆସିକା ଥାନା ପୋଲିସ ଗୋଟିଏ ଜୁଆ ଆଡ୍ଡାରେ ଚଢ଼ାଉ କରି ୬ ଜଣ, ହିଞ୍ଜିଳିକାଟୁ ଥାନା ପୋଲିସ ୫ ଜଣ ଏବଂ ସୋରଡ଼ା ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଜଗନ୍ନାଥପ୍ରସାଦ ଓ ପୋଲସରା ଥାନା ପୋଲିସ ୩ ଜଣ ଲେଖାଏଁ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ବେଲଗୁଣ୍ଠା ଓ ଗଞ୍ଜାମ ଥାନା ପୋଲିସ ଜଣେ ଲେଖାଏଁ ଜୁଆଡ଼ିଙ୍କୁ ଗିରଫ କରିଛି। ଚଢ଼ାଉ ବେଳେ ବିଭିନ୍ନ ଜୁଆ ଆଡ୍ଡାରୁ ବହୁ ତାସ୍ ପତ୍ତା ସହ ୮ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି। ଗିରଫ ଜୁଆଡ଼ିମାନଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


