ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ମାଛ ଚାଷ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ଶିଳ୍ପ କାରଖାନା ନ ଥିବା ବେଳେ ମହିଳାମାନଙ୍କୁ ମାଛଚାଷ ସ୍ୱାବଲମ୍ବୀ କରୁଛି । ଦିନକୁ ଦିନ ଅଧିକରୁ ଅଧିକ ମହିଳା ଗ୍ରାମ୍ୟ ପୁଷ୍ପରିଣୀରେ ମାଛଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଗ୍ରାମାଞ୍ଚଳରେ ଥିବା ପୋଖରୀରେ ମହିଳାମାନେ ଗୋଷ୍ଠୀ ଗଠନ କରି ମାଛଚାଷ କରୁଛନ୍ତି । ମାଛ ଚାଷ କରିବା ପାଇଁ ପ୍ରଥମେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏହାପରେ ସେମାନଙ୍କୁ ମାଛ ଚାଷ କରିବା ପାଇଁ ବ୍ୟାଙ୍କ ଯୋଗେ ଋଣ ଯୋଗାଇ ଦିଆଯାଉଛି । ଏହି ଋଣରେ ୬୦ ପ୍ରତିଶତ ରିହାତି ମଧ୍ୟ ପ୍ରଦାନ କରାଯାଉଛି । ଯାହା ଫଳରେ ମହିଳାମାନେ ଆକୃଷ୍ଠ ହୋଇ ମାଛ ଚାଷ ପ୍ରତି ମନ ବଳାଉଛନ୍ତି ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର । ମତ୍ସ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାର ୯ଟି ବ୍ଲକରେ ବର୍ତ୍ତମାନ ୪୭୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ଏହି ଗୋଷ୍ଠୀଗୁଡିକରେ ୪୮୭୦ ମହିଳା ସାମିଲ ହୋଇଛନ୍ତି । ସେମାନେ ୪୭୭ଟି ପୋଖରୀରେ ମାଛ ଚାଷ କରୁଛନ୍ତି । ମହିଳା ଗୋଷ୍ଠି ଗୁଡିକ ବାର୍ଷିକ ହେକ୍ଟର ପିଛା ୨.୬ ଟନ ମାଛ ଉତ୍ପାଦନ କରୁଛନ୍ତି । ଏହାକୁ କିଲୋ ପିଛା ୧୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି । ବେପାରୀମାନେ ସ୍ୱୟଂ ସହାୟକ ଗୋଷ୍ଠି ନିକଟରୁ ମାଛ ନେଇ ବିଜାରରେ ବିକ୍ରି କରୁଛନ୍ତି । ଏହାଦ୍ୱାରା ମହିଳାମାନେ ପରିବାରର ଆର୍ଥିକ ବୋଝ କମାଇବାରେ ସହାୟକ ହୋଇ ପାରିଛନ୍ତି । ଏହି ମାଛ ଚାଷ ଦ୍ୱାରା ପରୋକ୍ଷରେ ମଧ୍ୟ ବହୁତ ଲୋକ ରୋଜଗାରକ୍ଷମ ହୋଇ ପାରୁଛନ୍ତି । କାରଣ ଯେଉଁ ହୋଲସେଲ ବେପାରୀମାନେ ମାଛ କିଣୁଛନ୍ତି ସେମାନେ ରୋଜଗାରକ୍ଷମ ହେଉଛନ୍ତି । ଏଥିସହ ଯେଉଁ ଖୁଚୁରା ବେପାରୀମାନେ ଏହାକୁ ବିକ୍ରି କରୁଛନ୍ତି ସେମାନେ ମଧ୍ୟ ରୋଜଗାରକ୍ଷମ ହୋଇ ପାରୁଛନ୍ତି । ଜିଲ୍ଲାରେ ବେକାରୀ ସମସ୍ୟା ଦୂର କରିବା ଓ ଜିଲ୍ଲାର ଅର୍ଥନୀତିକୁ ସୁଦୃଢ କରିବାରେ ମାଛଚାଷ ସହାୟକ ହେଉଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ