କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗତ ବୈଠକରେ ସଡକ ସୁରକ୍ଷା ନିମନ୍ତେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ଅନୁଯାୟୀ ଅଗ୍ରଗତି ଏବଂ ନୂତନ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଅନୁପାଳନ ଉପରେ ବିବୃତି ରଖିବାକୁ କହିବା ସହ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ଗୁଡିକ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଦିଗରେ ନିର୍ଦେଶ ଦେଇଥିଲେ । ଇତି ମଧ୍ୟରେ ମଙ୍ଗୁଳି ଠାରେ ଦୁର୍ଘଟଣା ଏଡାଇବାକୁ ରାସ୍ତାରେ କ୍ରାସ୍ ବ୍ୟାରିଅରର ଉଚ୍ଛତା ବୃଦ୍ଧି କରିବା ସହ କ୍ରାସ୍ ବ୍ୟାରିଅର ପରିବର୍ତ୍ତେ କଣ୍ଟା ଜାତୀୟ ଫୁଲ ଗଛ ଲଗାଇବାକୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଟକ ନେତାଜୀ ବସ୍ ଷ୍ଟାଣ୍ଡ ନିକଟରେ “ବସ ରଖିବା ନିଷେଧ’’ ବୋର୍ଡ ଲଗାଇବା ଏବଂ ନୂତନ ପାର୍କିଂ ସ୍ଥାନ ଚିହ୍ନଟ କରିବା ନେଇ ଆରକ୍ଷୀ ଅଧୀକ୍ଷକ ଟ୍ରାଫିକ୍ ଓ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ସ୍ଥାନରେ ଜେବ୍ରା କ୍ରସିଙ୍ଗ ରଙ୍ଗ କରିବା ଓ ଅନଧିକୃତ ହମ୍ପସ୍ , ରମ୍ବଲର୍ସ ଅପସାରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖରାପ ଅବସ୍ଥାରେ ଥିବା ଟ୍ରାଫିକ୍ ପୋଷ୍ଟ ଗୁଡିକର ନବୀକରଣ ଓ ଟ୍ରାଫିକ୍ ନିକଟରେ ସ୍ଥାୟୀ ଶୌଚଳୟ ନିର୍ମାଣ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ବାଲିଘାଟ ନିକଟରେ ବାଲି ଅପସାରଣ ସମୟରେ ଅତ୍ୟଧିକ ବାଲି ବୋଝେଇ ଗାଡି ଗୁଡିକ ୪୦ହଜାର ଟଙ୍କାର ଜୋରିମାନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ହୋଇଥିବା ଉଚ୍ଛେଦ ସ୍ଥାନରେ ପୁନର୍ବାର ଜବରଦଖଲ ନେଇ ନିୟମିତଭାବେ ସମୀକ୍ଷା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ରାସ୍ତା ଅବରୋଧ କରୁଥିବା ବ୍ୟବସାୟୀଙ୍କୁ ଅପସାରଣ କରି ଦୁର୍ଘଟଣାକୁ ଆହୁରି ହ୍ରାସ କରାଯାଇପାରିବ ବୋଲି ମତାପ୍ରକାଶ ପାଇଥିଲା । ଅମାନିଆ ଗାଡିଚାଳକ ,ମଦ୍ୟପାନ କରି ଗାଡିଚଳାଉଥିବା ଚାଳକମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରପ୍ରାପ୍ତ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶଥାଉକି ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସଡକ ଦୁର୍ଘଟଣା ଅପେକ୍ଷାକୃତ ଭାବେ ହ୍ରାସ ପାଇଛି । ସେହିପରି ନିୟମ ଭଙ୍ଗକାରୀ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପୂର୍ବବର୍ଷ ଜାନୁୟାରୀରେ ୨୭୯ ଥିବାବେଳେ ଚଳିତବର୍ଷ ୪୦୦ କୁ ବୃଦ୍ଧିପାଇଛି । ଏଥିସହ ଚଳିତବର୍ଷ ଜାନୁୟାରୀ ମାସରେ ୫ ଲକ୍ଷ ୯୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ବୈଠକରେ କଟକ ଜିଲ୍ଲା ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାମାନେ ଭାଗନେଇ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଗୁଡିକୁ ତ୍ଵରିତ କାର୍ଯ୍ୟକାରୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଆୟୁକ୍ତ ପୁଲିସ କମିଶନରେଟ୍ ଶ୍ରୀ ଅମରେନ୍ଦ୍ର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡଃ. ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ସହକାରୀ ଆୟୁକ୍ତ ଟ୍ରାଫିକ ଶ୍ରୀ ଜୟନ୍ତ କୁମାର ଡ଼ୋରା ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।


