ଆଠଗଡ଼ରେ ରୋଟାରୀ କ୍ଲବ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ଆଠଗଡ଼ ଶ୍ରୀରାମ ମଣ୍ଡପଠାରେ ରୋଟାରୀ କ୍ଲବ ଆଠଗଡ଼ର ଆନୁଷ୍ଠାନିକ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ର ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି କହିଲେ ଯେ, ସେବା କ୍ଷେତ୍ରରେ ରୋଟାରୀ ସଂସ୍ଥାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବିଶ୍ୱରୁ ପୋଲିଓ ରୋଗର ନିରାକରଣ ପାଇଁ ରୋଟାରୀର କାର୍ଯ୍ୟକ୍ରମ ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହୋଇଛି । ଆଠଗଡ଼ର ସାଧାରଣ ଜନତାଙ୍କୁ ବିଶ୍ୱବାସୀଙ୍କ ସହ ଯୋଡ଼ିବାରେ ରୋଟାରୀ କ୍ଲବ ଆଠଗଡ଼ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ନୂତନ କ୍ଲବର ସଦସ୍ୟ ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୁଳପତି ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ମାନବ ସେବା ହିଁ ମାଧବ ସେବା । ଏହି ମାନସିକତାରେ ଯଦି ଆମେ ସାଧାରଣ ଜନତାର ସେବା କରିବା, ତେବେ ଇତିହାସରେ ନିଶ୍ଚିତଭାବେ ରୋଟାରୀ କ୍ଲବ ଆଠଗଡ଼ର ନାମ ରହିବ । ରୋଟାରୀ ଏଭଳି ଏକ ସଂସ୍ଥା ଯେ, ବିଶ୍ୱରେ ବହୁ ବିଶିଷ୍ଟ ଲୋକଙ୍କ ଠାରୁ ଆରମ୍ଭ କରି ତଳେ ଥିବା ସାଧାରଣ ଜନତାଙ୍କୁ ଏକତ୍ରିତ କରିବାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ସାରା ବିଶ୍ୱରେ ରୋଟାରୀର କୋଟି କୋଟି ସଦସ୍ୟା ଓ ସଦସ୍ୟା ଉତ୍ସର୍ଗୀକୃତ ଭାବେ ସାଧାରଣ ଜନତାର ସେବା କରୁଛନ୍ତି । ନବଗଠିତ କ୍ଲବର ଉପଦେଷ୍ଟା ତଥା ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ବିଶିଷ୍ଟ ସମାଜସେବୀ, ସଂସ୍କୃତ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଆଠଗଡ଼ ମାଟିର ଐତିହ୍ୟ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନ ଓ ଅଂଶୁପା ହ୍ରଦ ଉପରେ ନିଜର ବକ୍ତବ୍ୟ ରଖିବା ସହ ସହରର ଗ୍ରାମୀଣ ପରିବେଶ ମଧ୍ୟରେ ରୋଟାରୀ ସଂସ୍ଥାର ସେବାମୂଳକ କାର୍ଯ୍ୟକ୍ରମକୁ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଡଃ ଜ୍ଞାନେନ୍ଦ୍ର ଆରମ୍ଭ କରି ନୂତନ ସଭାପତି ମାନସ ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଚାର୍ଟର ସେକ୍ରେଟାରୀ ବରୁଣ ରାଜ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଶିକ୍ଷକ ନିରାକାର ମହାପାତ୍ର ଅତିଥି ପରିଚୟ ଓ ରୋଟାରୀୟାନ ରବୀନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ପାଣି ସଭାପତି ଶ୍ରୀ ସାହୁଙ୍କୁ ରୋଟାରୀ ସ୍ୱୀକୃତି ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପ୍ରଥମ ମହିଳା ଶ୍ରୀମତୀ ଝରଣା ପାଣି ଓ ଆଠଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ