ସ୍କୁଲ ସୀମା ବିବାଦ : ବିଇଓଙ୍କୁ ଭେଟିଲେ ଗ୍ରାମବାସୀ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ମଟରାଗଡିଆ ସ୍କୁଲ ସୀମାକୁ ନେଇ ମଟରାଗଡିଆ ଓ ଧରମପୁର ଗ୍ରାମବାସୀଙ୍କ ଭିତରେ ବିବାଦ ଦେଖାଦେଇଥିବାବେଳେ ଆଜି ମଟରାଗଡିଆ ଗ୍ରାମବାସୀମାନେ ବିଇଓ ଏବଂ ତହସିଲଦାରଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ କରିଥିବା ଅଭିଯୋଗ ଅନୁଯାଇ ମୋଟରାଗାଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୨ ମସିହାରୁ ସ୍ଥାପିତ ହୋଇଥିବାବେଳେ ଏଥିରେ ମୋଟରାଗଡିଆ, ଧରମପୁର, ତେନ୍ତୁଲିପଦି ଆଦି ତିନୋଟି ଗ୍ରାମର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିଥାନ୍ତି । ପୁର୍ବରୁ ଏହି ସ୍କୁଲ ପରିସୀମାକୁ ବାଉଁଶ କଣିରେ ବାଡ ବୁଜାଯାଇଥିବାବେଳେ ଏବେ ତାହାକୁ ତାରଜାଲି ଘେରାଉ କରିବାକୁ ଗାଁ ଲୋକମାନେ ନିଷ୍ପତି ନେଇଥିଲେ । ସେହି ଅନୁସାରେ ସିମେଣ୍ଟ ଖୁଣ୍ଟି ପକାଯାଇ ତାରଜାଲି ଘେରାଉ କରିବା ବେଳେ ଧରମପୁର ଗ୍ରାମର କିଛି ବ୍ୟକ୍ତି ଆସି ସ୍କୁଲଟି ଆମ ଗାଁ ସୀମାରେ ଅଛି, ଆମେ ଯାହା କରିବୁ ବୋଲି କହି ପୋତାଯାଇଥିବା ସିମେଣ୍ଟ ଖୁଣ୍ଟି ଗୁଡିକୁ ଉପାଡି ଦେଇଥିଲେ । ଏହାକୁନେଇ ଦୁଇ ଗ୍ରାମବାସୀଙ୍କ ଭିତରେ ଗଣ୍ଡଗୋଳ ଓ ମାଡପିଟ ମଧ୍ୟ ହୋଇଥିଲା । ଏକ ସରକାରୀ ଶିକ୍ଷାନୁଷ୍ଠାନରେ କିଛି ବ୍ୟକ୍ତି କୁତ୍ସିତ ରାଜନୀତି ଭର୍ତ୍ତିକରି ବିଶୃଙ୍ଖଳିତ ଆଚରଣ ସୃଷ୍ଟି କରୁଥିବାରୁ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ରାମଚନ୍ଦ୍ର ସେଠୀ, ବିଜୟ ନାୟକ, ସଞ୍ଜୟ କୁମାର ସେଠୀ, କନକ ନାୟକ, ଗଜେନ୍ଦ୍ର ସେଠୀ, ଅମର ନାୟକ, ପ୍ରସାନ୍ତ ସେଠୀ, କୈଳାଶ ଚନ୍ଦ୍ର ସେଠୀ, ସରସ୍ୱତୀ ପ୍ରଧାନ, ଅଭିମନୁ୍ୟ ନାୟକ, ବିଜୟ କୁମାର ପ୍ରଧାନ, ଭୀମା ସେଠୀ, ରମେଶ ବେହେରା,ପ୍ରମିଳା ସେଠୀ, ଅଭିମନୁ୍ୟ ନାୟକ, କୃଷ୍ଣ ସାମଲ, ନିବେଦିତା ନାୟକ, ପସନ୍ନ ରାଉତ ପ୍ରମୁଖ ଗ୍ରାମବାସୀମାନେ ଏହାର ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ବିଇଓ ଏବଂ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।