ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନଗଣଙ୍କୁ ଲୁଣ୍ଠନ କରୁଛନ୍ତି : ସିପିଆଇ ୯ମ ଜିଲ୍ଲା ସମ୍ମିଳନୀ ଉଦ୍‌ଯାପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯ମ କେନ୍ଦ୍ରାପଡା ଜିଲ୍ଲା ସମ୍ମିଳନୀ କେନ୍ଦ୍ରାପଡା ଲ’ କଲେଜ କଲୋନୀ ନିକଟସ୍ଥ ଜ୍ୟୋତିର୍ମୟୀ ମହିଳା ସମିତି ସମ୍ମିଳନୀ କକ୍ଷରେ ରବିବାର ଉଦଯାପିତ ହୋଇଯାଇଛି । ୧୧ ତାରିଖ ପୂର୍ବାହ୍ନରେ ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା ବାହାରି ସମ୍ମିଳନୀ ସ୍ଥଳରେ ପହଁଚିବା ପରେ ବରିଷ୍ଠ ନେତା ଅଧିକାରୀ ପ୍ରଭାତ କୁମାର ଦାସ ପାର୍ଟିର ଲାଲ ପତାକା ଉତ୍ତୋଳନ କରିଥିଲେ । ବରିଷ୍ଠ ସାଥୀ ବାବାଜୀ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଖୋଲା ଅଧିବେଶନରେ ସମ୍ମିଳନୀକୁ ଉଦ୍‌ଘାଟନ କରି ପାର୍ଟିର ଜାତୀୟ ପରିଷଦ ସଦସ୍ୟ ତଥା ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ନେତା ଅଭୟ ସାହୁ, ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଜମାକାରୀ ମିଳିତ ମଞ୍ଚ ସଭାପତି ଜୟନ୍ତ ଦାସ, ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ ପ୍ରମୁଖ ଉଦ୍‌ବୋଧନ ଦେଇ ବିଜେପି ଶାସନରେ ଦେଶରେ କ୍ରମାନ୍ୱୟରେ ବଢିଚାଲିଥିବା ଘୃଣା ରାଜନୀତିକୁ ନିନ୍ଦା କରିବା ସହ ଦେଶର ଲାଭଦାୟକ ଜାତୀୟ ସମ୍ପତ୍ତି ଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ମିତ୍ର ଦ୍ୱୟଙ୍କୁ ସରକାର ଶାଗମାଛ ଦରରେ ବିକ୍ରୀ କରି ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରି ଦେଉଥିବାରୁ ଏଥିରୁ ଦେଶକୁ ରକ୍ଷା କରିବା ପାଇଁ ମିଳିତ କାର୍ଯ୍ୟକ୍ରମ ଭିତ୍ତିରେ ଦେଶର ସବୁ ଅଞ୍ଚଳରେ ବାମ -ଗଣତାନ୍ତ୍ରିକ – ଧର୍ମନିରପେକ୍ଷ ଶକ୍ତିମାନଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ଅପରାହ୍ନରେ ବିକାଶ ବେଉରା, ସୁବାସିନୀ ଭଦ୍ର ଓ ସୁହାନା ବେଗମଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀର ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହୋଇ ୨୦୧୮ ମସିହାଠାରୁ ଏପର୍ଯ୍ୟନ୍ତ ୪ ବର୍ଷର ଆନ୍ତର୍ଜାତୀୟ, ଜାତୀୟ, ରାଜ୍ୟ ଓ ଜିଲ୍ଲାର ରାଜନୈତିକ, ସାଂଗଠନିକ ଓ ଆୟବ୍ୟୟର ବିବରଣୀ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ ଉପସ୍ଥାପନ କରିଥିଲେ । ଏଥିରେ ଦଳର ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ, ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନେତୃତ୍ୱ, ୩୦ ରୁ ଅଧିକ ଗ୍ରାମ ପଞ୍ଚାୟତ ସ୍ତରୀୟ ଶାଖାର ନେତୃତ୍ୱ ଏହି ରାଜନୈତିକ ଓ ସାଂଗଠନିକ ବିବରଣୀ ଉପରେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ଜାତୀୟ ଶିକ୍ଷାନୀତି ୨୦୨୦ କଣ ଓ କାହିଁକି ଶୀର୍ଷକ ଆଲୋଚନା ଚକ୍ର ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱ ଶିକ୍ଷକ ମହାସଂଘର ସଭାପତି ପ୍ରଫେସର ଅମୀୟ ମହାନ୍ତି ଏବଂ ଶିକ୍ଷକ ମହାସଂଘର ପ୍ରାକ୍ତନ ସାଧାରଣ ସମ୍ପାଦକ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ତାଙ୍କ ବିଶ୍ଲେଷଣାମ୍‌କ ସନ୍ଦର୍ଭ ଉପସ୍ଥାପନ କରି ଏହି ଶିକ୍ଷାନୀତି ଦେଶର ସଂଖ୍ୟାଗରିଷ୍ଠ ଅବହେଳିତ ବର୍ଗ ପରିବାରର ଛାତ୍ରଛାତ୍ରୀଙ୍କୁ ଶିକ୍ଷାରୁ ବଞ୍ଚିତ କରିବ । ଶିକ୍ଷାର ବ୍ୟବସାୟୀକରଣ ଗରିବ ବର୍ଗଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ସହ ଏହି ଶିକ୍ଷାନୀତି ଦେଶକୁ ସାମ୍ପ୍ର୍ରଦାୟିକ ବିଦ୍ୱେଷ, ଘୃଣା ଓ ସାମାଜିକ ବିଭାଜନ କରିବ ବୋଲି ସୂଚନା ଦେଇ ଏହା ବିରୋଧରେ ଏଆଇଏସ୍‌ଏଫ୍ ସମେତ ଅନେକ ସଂଗଠନ ଲଢେଇ କରୁଥିବାର ସୂଚନା ଦେଇଥିଲେ । ପ୍ରତିନିଧି ଅଧିବେଶନରେ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ସରକାରୀ ବିଦ୍ୟାଳୟ ଓ ସରକାରଙ୍କ ଦ୍ୱାରା ପରିଚାଳିତ ମହାବିଦ୍ୟାଳୟର ଆବଶ୍ୟକୀୟ ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି, ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ଜିଲ୍ଲାର ସମସ୍ତ ଚାଷଜମିକୁ ଜଳ ଯୋଗାଣ ଓ ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ, ଜିଲ୍ଲାର ପରିବେଶ ଓ ଜୈବ ବିବିଧତାର ସୁରକ୍ଷା, ସହର ମଧ୍ୟରେ ସର୍ବସାଧାରଣ ସଭା, ସମିତି ଓ ସାଂସ୍କୃତିକ କାର୍ଯ୍ୟକଳାପ ପାଇଁ ସର୍ବସାଧାରଣ ପ୍ରେକ୍ଷାଳୟ ପ୍ରତିଷ୍ଠା ସମେତ ଜନଗଣଙ୍କ ହକ୍ ଏବଂ ଅଧିକାର ହାସଲ ଦାବିରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଜନ ଆନ୍ଦୋଳନ ପାଇଁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି । ସମ୍ମିଳନୀ ଆଗାମୀ ତିନି ବର୍ଷ ପାଇଁ ସମ୍ପାଦକ ରମଣୀ ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ଜିଲ୍ଲା ପରିଷଦ ନିର୍ବାଚିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ