ଛତ୍ରପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ପ୍ରସନ୍ନ କୁମାର ପାତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଉପଜିଲ୍ଲାପାଳ ଭାବେ ପ୍ରସନ୍ନ କୁମାର ପାତ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ରଙ୍ଗେଇଲୁଣ୍ଡା ବିଡିଓ ଭାବେ ଦାୟିତ୍ୱ ସୂଚାରୁ ରୁପେ ତୁଲାଇଆସୁଥିଲୋ ତାଙ୍କର ପଦୋନ୍ନତି ହେବା ପରେ ଆଜି ସେ ଛତ୍ରପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୦୬ ବ୍ୟାଚ ର ଓଏଏସ ଅଧିକାରୀ ହୋଇଥିବା ବେଳେ ପ୍ରଥମେ ସେ ଯାଜପୁର ଜିଲ୍ଲାର ବଡଚଣା ବିଡିଓ ଭାବେ ଚାକିରିକାଳ ଆରମ୍ଭ କରିଥିଲେ । ପରେ କଳାହାଣ୍ଡି ଜିଲ୍ଲା ର ଟି. ଏଚ୍. ରାମପୁର, ମୟୁରଭଞ୍ଜ ଜିଲ୍ଲାର ରାସ ଗୋବିନ୍ଦପୁର, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରି ସରକାରଙ୍କ ବିଭିନ୍ନ ଯୋଜନା କୁ ଲୋକଙ୍କ ପାଖରେ ପହଂଚାଇବା ସହ ସମସ୍ତ କାର୍ଯ୍ୟକୁ ସୁରୁଖୁରରେ ସମ୍ପାଦନ କରିଆସିଛନ୍ତି । ବର୍ତ୍ତମାନ ସେ ଛତ୍ରପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରାଜସ୍ୱ ବିଭାଗର ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ସହ ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି । ଦାୟିତ୍ୱ ନେଲା ପରେ ତାଙ୍କୁ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା ଓ ଅଶୋକ କୁମାର ପ୍ରଧାନଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ବରୁ ଛତ୍ରପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିବା ନୀଳମାଧବ ଭୋଇଙ୍କ ବଦଳି ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ହୋଇଯାଇଛି ।


