ବକେୟା ପ୍ରଦାନ ଦାବିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) :-ଶିକ୍ଷକତାରୁ ଅବସର ନେବାର ୧୫ମାସ ପରେ ବି ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ କର୍ମଚାରୀଙ୍କ ଅର୍ଥନ୍ୱେଷୀ କାର୍ଯ୍ୟଧାରା ଯୋଗୁଁ ପେନସନ ସମେତ ଅନୁସଙ୍ଗିକ ସରକାରୀ ସହାୟତାରୁ ବଞ୍ଚିତ ଶିକ୍ଷୟିତ୍ରୀ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ମହିଳା ଜଣକ ହେଲେ ସୋର ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ସାଜନପୁର ୟୁଜିୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାବତୀ ଜେନା । ଲେବୁଲ-ଫୋର ଓ ଲେବୁଲ –ଥ୍ରୀ ଗ୍ରେଡ ପାଇ ୧୫ ମାସ ପୂର୍ବରୁ ସେ ଅବସର ଗ୍ରହଣ କରିଥିଲେ । ମାତ୍ର ଅଦ୍ୟାବଧି ତାଙ୍କୁ ପେନସନ, ଏମ୍.ଏସ୍.ପି, ଆର.ଏସ୍.ପି., ଏ.ସି.ପି. ସହିତ ଆନୟୁଟିଲାଇଜ ଲିଭ, ଇନକ୍ରିମେଣ୍ଟ ବାବଦୀୟ ଅର୍ଥ ମିଳି ନଥିବା ସେ ଆରୋପ କରିଛନ୍ତି । ଏନେଇ ସେ ଗତ ୨୦୨୧ ମସିହା ଜୁଲାଇ ୧୯ ଓ ଡିସେମ୍ବର ୨୬ ତାରିଖରେ ଜିଲାପାଳଙ୍କଠାରେ ଆପତ୍ତି କରିଥିଲେ । ତାଙ୍କୁ ୩ ଦିନ ମଧ୍ୟରେ ସମସ୍ତ ବକେୟା ଅର୍ଥ ପ୍ରଦାନ ସହ ପେସନସ ପେପର କାର୍ଯ୍ୟ ଶେଷ କରିବା ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଜିଲା ଶିକ୍ଷାଧିକାରୀ ଶ୍ରୀମତୀ ଜେନାଙ୍କ ସମସ୍ତ ବକେୟା ଅର୍ଥ ପ୍ରଦାନ ପାଇଁ ସୋର ବିଇଓଙ୍କୁ ନିର୍ଦ୍ଦେଶ ଦେଦେଇଥିଲେ । ମାତ୍ର ଅଦ୍ୟାବଧି ବକେୟା ରାଶିରୁ ଟଙ୍କାଟିଏ ବି ତାଙ୍କୁ ମିଳି ନଥିବା ସେ କହିଛନ୍ତି । ସୋର ବିଇଓଙ୍କ କାର୍ଯ୍ୟାଳୟରେ ସର୍ବେସର୍ବା ହୋଇ ଡ଼େପୁଟେସନରେ ଥିବା କିରାଣି ବିଦ୍ୟାଧର ମଲ୍ଲିକ ତାଙ୍କର କୌଣସି ପେପର କାମ ଆଗକୁ ବଢ଼ିବାକୁ ଦେଉ ନଥିବା ଶ୍ରୀମତି ଜେନା ଆରୋପ ଉଠାଇଛନ୍ତି । ଏମିତିକି ୨୦୦୩ ମସିହାରୁ ସେ ପଦୋନ୍ନତି ପାଇ ମଧ୍ୟ ସୋର ବିଇଓ ତଥା ତାଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ତଞ୍ଚକତା ପାଇଁ ଏହା କାର୍ଯ୍ୟକାରୀ ହୋଇନଥିଲା । ଏ ନେଇ ଅଦାଲତରେ ଆଶ୍ରୟ ନେବାପରେ ପ୍ରଦୋନ୍ନତି ମିଳିଥିଲେ ବି ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା କିମ୍ବା ସରକାରୀ ସୁବିଧା ପାଉଥିବା ଶ୍ରୀମତୀ ଜେନା କହିଛନ୍ତି । ସୋର ବିଇଓ ଅଫିସ କିରାଣି ଶ୍ରୀ ମଲିକ ତାଙ୍କୁ ମାଗିଥିବା ୨୦ ହଜାର ଟଙ୍କା ଦେଇ ନପାରିବା ଯୋଗୁଁ ତାଙ୍କୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଚାଲିଥିବା ସେ ଅଭିଯୋଗ କରିଛନ୍ତି । ଅବସରକାଳୀନ ଅର୍ଥ ପ୍ରଦାନ ପାଇଁ ପେନସନ୍ ଅଦାଲତ ଅଭିଯୋଗ କରିବା ପରେ ବିଦ୍ୟାଧର ମଲ୍ଲିକ ସମସ୍ତ ବକେୟା ଦରମା ମାସକ ମଧ୍ୟରେ ପ୍ରଦାନ କରିବେ ବୋଲି ଜିଲାପାଳଙ୍କୁ ଅବଗତ କରିଥିଲେ । ମାତ୍ର ପୂର୍ବ ଦାବି ଅନୁସାରେ ପାଇନଥିବା ୨୦ ହଜାରର ଲାଞ୍ଚ ଅର୍ଥ ଯୋଗୁଁ ଶ୍ରୀ ମଲ୍ଲିକ ସୋର ବିଇଓଙ୍କୁ ପ୍ରଭାବିତ କରି ମିଥ୍ୟା ଅଭିଯୋଗ ଓ ତଦନ୍ତ ଦ୍ୱାରା ୬୮ହଜାର ୮୦୦ଶହ ଟଙ୍କା ଶିକ୍ଷା ବିଭାଗର ଡିମାଣ୍ଡ ଦେଖାଇଛନ୍ତି ।ଏହାର ବିଧିବଦ୍ଧ ତଦନ୍ତ ସହ ଶ୍ରୀ ମଲ୍ଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ତାଙ୍କର ବକେୟା ଦରମା ଇତ୍ୟାଦି ପ୍ରଦାନ ପାଇଁ ସେ ଦାବି ଜଣାଇଛନ୍ତି । ତେବେ ନୂତନ ଜିଲାପାଳଙ୍କ ଯୋଗଦାନ ଦିବସରେ ପୁଣି ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ଏହି ଧାରଣାକୁ ନେଇ ଜିଲା ଶିକ୍ଷାଧିକାରୀ ଓ ସଦର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବେଶ ତତ୍ପରତା ପରିଲକ୍ଷିତ ହୋଇଥିଲା । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରାଚୀତନୟା ଗିରି ଓ ଅନ୍ୟାନ୍ୟ କେତେକ ବରିଷ୍ଠ କର୍ମଚାରୀ ଧାରଣା ସ୍ଥଳରେ ପହଞ୍ଚିି ଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କୁ ବୁଝାସୁଝା କରିଥିଲେ । ଏମିତିକି ଧାରଣା ସ୍ଥଳରୁ ସୋର ବିଇଓଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରି ଆସନ୍ତା ୩୦ ତାରିଖ ମଧ୍ୟରେ ଅବସରକାଳୀନ ସମସ୍ତ ବକେୟା ଅର୍ଥ ପ୍ରଦାନର ପ୍ରତିଶ୍ରୁତି ମିଳିବା ପରେ ସେ ଧାରଣାରୁ ଓହରିଥିଲେ । ତବେ ଆସନ୍ତା ୩୦ ତାରିଖ ସୁଦ୍ଧା ତାଙ୍କର ସମସ୍ତ ବକେୟା ଅର୍ଥ ପ୍ରଦାନ ତଥା ତାଙ୍କ ବିରୋଧରେ କିରାଣି ଶ୍ରୀ ମଲିକ କରିଥିବା ମିଥ୍ୟା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ସେ ଅନଶନରେ ବସିବେ ବୋଲି ଶ୍ରୀମତୀ ଜେନା ଚେତାବନୀ ଦେଇଛନ୍ତି ।