ବିଭିନ୍ନ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ

ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ନାନ ପୂର୍ଣ୍ଣିମା ପରେ ଦୁଇସପ୍ତାହ ଅଣସର ଗୃହରେ ରହିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ତିନିଦିଅଁ ଭକ୍ତଙ୍କ ଦର୍ଶନ ପାଇଁ ବୁଧବାର ନବଯୌବନ ରୂପରେ ବିରାଜମାନ ହୋଇଛନ୍ତି । ଶ୍ରୀକ୍ଷେତ୍ର ପୁରୀ ଭଳି ପ୍ରତ୍ୟେକ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ନୀତିକାନ୍ତି ।ଏହି ପରିପ୍ରେକ୍ଷୀରେ ସହର ସମେତ ବାଲେଶ୍ୱର ଜିଲାର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କର ନବ ଯୌବନ ବେଶ ଅନୁଷ୍ଠିତ ହୋଇଛି । ସହରର ମଣ୍ଡଳବଜାର ଶ୍ରୀଜଗନ୍ନାଥ ମନ୍ଦିର, ମୋତିଗଞ୍ଜ ବଜାର ବାଣ୍ଠିଆ ଜଗନ୍ନାଥ ମନ୍ଦିର, ବାଲିଘାଟ ଜଗନ୍ନାଥ ମନ୍ଦିର, ପୁଲିସ ଲାଇନ୍ ଜଗନ୍ନାଥ ମନ୍ଦିର, ଆଜିମାବାଦ ଜଗନ୍ନାଥ ମନ୍ଦିିର ସମେତ ବାଲିଆ ପ୍ରଭୃତି ମନ୍ଦିରରେ ତିନିଦିଅଁଙ୍କୁ ମହାସ୍ନାନ କରାଇବା ପରେ ରତ୍ନ ମଣ୍ଡପକୁ ଅଣାଯାଇଥିଲା । ସେବକମାନେ ଶ୍ରୀଜୀଉମାନଙ୍କର ଶ୍ରୀମୁଖ ଶିଙ୍ଗାର କରିଥିଲେ । କସ୍ତୁୁରୀ, କେଶର, ହିରତାଳ ଏବଂ ହିଙ୍ଗୁଳ ପ୍ରଭୃତି ସାମଗ୍ରୀ ମିଶ୍ରଣକୁ ନେଇ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା । ସର୍ବାଙ୍ଗ ସେବା, ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ ସହିତ ବିଶେଷ ନୀତିରେ ପୂଜାର୍ଚ୍ଚନା ପରେ ତିନିଠାକୁରଙ୍କ ସମେତ ଚକ୍ରରାଜ ସୁଦର୍ଶନଙ୍କ ନବଯୌବନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁଁ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହୋଇଥିଲେ । ତେବେ କଟକଣା ଉଠିବା ଫଳରେ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ନବ ଯୌବନ ଦର୍ଶନ କରି ସାତ ଜନ୍ମର ପୁଣ୍ୟ ଅର୍ଜ୍ଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ