ଗଂଜାମ ଜିଲ୍ଲା ଆପାତକାଳୀନ ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): କୌଣସି ପ୍ରକାର ଶିଳ୍ପଜନିତ କାର୍ଯ୍ୟକଳାପ ହେତୁ ଉତ୍ପନ୍ନ ହେଉଥିବା ବଡ଼ ଧରଣର ଦୁର୍ଘଟଣାକୁ ପ୍ରତିରୋଧ କରିବା, ଉଭୟ ମଣିଷ ଓ ପରିବେଶ ଉପରେ ଏପରି ଦୁର୍ଘଟଣା ର ପ୍ରଭାବକୁ ସୀମାବଦ୍ଧ କରିବା ଏବଂ ବିଭିନ୍ନ ନିୟନ୍ତ୍ରଣ ଉପାୟ ମଧ୍ୟରେ ତାଳମେଳ ରକ୍ଷା କରିବା ପାଇଁ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ (ଡିସିଜି) ତଥା ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲ।। ସବୁ ପ୍ରକାର ରାସାୟନିକ ପଦାର୍ଥ ନିମନ୍ତେ ଡାଟାବେସ୍ ପ୍ରସ୍ତୁତି, ପେଟ୍ରୋଲ ପମ୍ପ ଏବଂ କେମିକାଲକୁ ଅଲଗା ଅଲଗା ଭଣ୍ଡାରଣ କରାଯାଉଥିଲେ, ତାହାର ସ୍ଥିତି, ତାହାର ତଥ୍ୟ ଏବଂ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ମତ ଦେଇଥିଲେ । କୌଣସି ପରିସ୍ଥିତିରେ ସୁରକ୍ଷା ସହ ଖେଳି ହେବ ନାହିଁ ଏବଂ ଡିସିଜିର ଏକ ଯୁଗ୍ମ କମିଟି ଗଞ୍ଜାମ ଜିଲ୍ଲାର ସମସ୍ତ ବିପଜ୍ଜନକ କାରଖାନା ଏବଂ ବଡ ଧରଣର ଦୁର୍ଘଟଣା ଆଶଙ୍କା କରାଯାଉଥିବା କାରଖାନା ପରିଦର୍ଶନରେ ଯିବେ । ଜିଲ୍ଲା ନିମିତ୍ତ ବିସ୍ତୃତ ଅଫ୍-ସାଇଟ୍ ଏମରଜେନ୍ସି ପ୍ଲାନ୍ (ଶିଳ୍ପାନୁଷ୍ଠାନ ପରିସର ବାହାର ଆପାତ୍କାଳୀନ ଯୋଜନା) ଏବଂ ତତ୍ ସଙ୍ଗରେ ଜିଲ୍ଲାର ଡିଜାଷ୍ଟର ମ୍ୟାନେଜ୍ମେଣ୍ଟ୍ କଣ୍ଟ୍ରୋଲ ପ୍ଲାନ୍ସର ପ୍ରସ୍ତୁତି ଓ ତାହାକୁ ପ୍ରବର୍ତ୍ତନ କରିବାରେ ଜୋର ଦେବାକୁ କୁହାଯାଇଥିଲା । ଓଡ଼ିଶାର ଏକମାତ୍ର କ୍ଲୋରୋ ଆଲକାଲି କାରଖାନା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ତରଫରୁ ବୈଷୟିକ ମୁଖ୍ୟ ରାମଦାସ ସାଓ ଶିଳ୍ପାନୁଷ୍ଠାନର ସୁରକ୍ଷା ପ୍ରତି ତାଙ୍କ ପରିଚାଳନା କର୍ତ୍ତୃପକ୍ଷ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ଏଥିସହିତ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଅନ୍ୟାନ୍ୟ ବିପଜ୍ଜନକ କାରଖାନାର ମଧ୍ୟ ସମୀକ୍ଷା କରାଯାଇଥିଲା । ଇତି ମଧ୍ୟରେ ଟାଟାଷ୍ଟିଲ୍, ସରାଫ ଏଜେନ୍ସିଜ୍ , ଆସ୍କା ସ୍ଥିତ ଚିନିକଳ, ୟୁନାଇଟେଡ୍ ବ୍ରିଉଏରିଜ୍ , ଫରଚ୍ୟୁନ୍ ସ୍ପିରିଟ୍ ସୁଧାକର ପାଇପ୍ , ଇଣ୍ଡିଆନ୍ ରେୟାର ଆର୍ଥ ନିଜ ନିଜର ସୁରକ୍ଷା ଜନିତ ଖର୍ଚ୍ଚ ପରିମାଣ ବୃଦ୍ଧି କରିଥିବା ଦର୍ଶାଇଥିଲେ ।ରାସାୟନିକ ଦୁର୍ଘଟଣାକୁ ଗଞ୍ଜାମ ଜିଲ୍ଲାରେ କିଭଳି ଆୟତ କରାଯାଇଥିଲା ତାହାର ଏକ ଜ୍ୱଳନ୍ତ ଉଦାହରଣର ଅବତାରଣ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଜ୍ଞା ପାରମିତା ଥାଟୋଇ କରିଥିଲେ । ଉଲ୍ଲେଖଥାଉ ଯେ ପୂର୍ବରୁ ୨୦୧୭ ସେପଟେମ୍ବର ମାସରେ ଏକ ଏଲ୍ପିଜି ବୋଝେଇ ଟ୍ୟାଙ୍କର ବିଶାଖପାଟଣାରୁ ଭୁବନେଶ୍ୱର ଯାଉଥିବାବେଳେ ଗଞ୍ଜାମ ସହର ପାଖ ଋଷିକୁଲ୍ୟା ନଦୀ ପାଶ୍ୱର୍ରେ ରାତ୍ର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । କିନ୍ତୁ ଏହା ଆହୁରି ବଡ ଧରଣର ଦୁର୍ଘଟଣାର ରୂପ ନେବା ପୂର୍ବରୁ, ଏମରଜେନ୍ସି ଅବସ୍ଥାକୁ ଡିସିଜି ସହାୟତାରେ ସମ୍ଭାଳି ନିଆଯାଇଥିଲା । ଏକ ବୃହଦାକାୟ କ୍ରେନ୍ ଏବଂ ବିଶାଖପାଟଣାରୁ ଆନୀତ ଏକ ସ୍ୱତନ୍ତ୍ର ଗାଡି ସାହାଯ୍ୟରେ ଏବଂ ଜିଲ୍ଲାର ଅଧିକାରୀ ଏବଂ କାରଖାନା କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସରେ ଏହା ସମ୍ଭବପର ହୋଇଥିଲା । ଜିଲ୍ଲା ପାଇଁ ଥିବା ଅଫ୍ ସାଇଟ୍ ଏମରଜେନ୍ସି ପ୍ଲାନ୍କୁ ଅଧୁନାତନ କରିବାକୁ ପରାମର୍ଶ ଦିଆଯାଇଥିଲା । ଆଗାମୀ ଦିନରେ କାରଖାନା ପରିସର ବାହାରେ , ରାସ୍ତାକଡରେ ଆପାତକାଳୀନ ପ୍ରସ୍ତୁତି ପରଖିବା ପାଇଁ ଏକ ଡ୍ରିଲ ଆୟୋଜନ କରିବା ପାଇଁ ସ୍ଥିର ହୋଇଥିଲା । ଇତି ମଧ୍ୟରେ ଲାଞ୍ଜିପଲ୍ଲୀ ସ୍ଥିତ ଭାରତୀୟ ତୈଳ ନିଗମ ଏବଂ ଇଣ୍ଡିଆନ୍ ଅଏଲ ତାହାର ଡିପୋକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରି ଦେଇ ଥିବାରୁ ସନ୍ତୋଷ ବ୍ୟକ୍ତ କରାଯାଇଥିଲା ।କାରଖାନା ଓ ବାଷ୍ପିତ୍ର ସହକାରୀ ନିର୍ଦ୍ଦେଶକ, ବିଭୁ ପ୍ରସାଦ କାରଖାନା ଗୁଡ଼ିକରେ ସର୍ବୋମୋଟ ଚାରୋଟି ଫାୟାର ଟେଣ୍ଡର ସଦା ପ୍ରସ୍ତୁତ ଏବଂ ଏଥିସହିତ ଏକ ଏମରଜେନ୍ସି ଭେହିକଲ ରହିଥିବା କହିଥିଲେ ଏବଂ ଶିଳ୍ପାନୁଷ୍ଠାନ ମଧ୍ୟରେ ପାରସ୍ପରିକ ସାହାଯ୍ୟ ସହଯୋଗ ରହିଆସିଛି ବୋଲି ମତବ୍ୟକ୍ତ କରିଥିଲେ । ତେଣିକି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ମନୁଷ୍ୟକୃତ ବିପର୍ଜ୍ଜୟ, ସବୁଥିପାଇଁ ଗଞ୍ଜାମ ଜିଲ୍ଲା ଚିର ପ୍ରସ୍ତୁତ ବୋଲି ମତ ପ୍ରକାଶ ପାଇଥିଲା ।ଏହି ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଏମ୍ ଅନାମ ଚରଣ ପାତ୍ର, ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ, ଗଂଜାମ ପୁଲିସ ଜିଲ୍ଲାର ଡିଆଇବି ଡିଏସପି ଅଜୟ କୁମାର ମିଶ୍ର, ଗଂଜାମ ଥାନା ଅଧିକାରୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ମିତ୍ରସେନ ମାଝି, ଓଡ୍ରାଫ୍ ଟିମ୍, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ ଅବନୀ ପାତ୍ର, ଅଗ୍ନିଶମ ବିଭାଗର ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତି , ଜିଲ୍ଲା ଜରୁରୀକାଳୀନ ବିଭାଗ ର ଜିଲ୍ଲାପ୍ରକଳ୍ପ ଅଧିକାରୀ ପ୍ରଭୂ ପ୍ରସାଦ ମହାରଣାଙ୍କ ସମେତ ଜିଲ୍ଲାର ବହୁ ଉଚ୍ଚପଦସ୍ଥ ଅଧିକାରୀଗଣ ଯୋଗ ଦେଇଥିବା ବେଳେ ଗଞ୍ଜାମ ସ୍ଥିତ ବିଭିନ୍ନ କାରଖାନା ର ମୁଖ୍ୟ ଅଧିକାରୀ , ସେମାନଙ୍କର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।


