ଗ୍ରାମ୍ୟକମିଟି ସଭ୍ୟଙ୍କୁ ହତ୍ୟା ଉଦ୍ୟମ ଘଟଣା : ୪ ଗିରଫ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ଦିଗପହଣ୍ଡି ଥାନା ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀ ଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ ବିଷୋୟୀ ଙ୍କୁ ଖଣ୍ଡା ରେ ହାଣି ହତ୍ୟା ଉଦ୍ୟମ ଘଟଣା ରେ ତଦନ୍ତକାରୀ ଅଧିକାରୀ ତଥା ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ୪ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ତିଳେଶ୍ୱର ଗାଁ ର ସ୍ଵାଧୀନ ବିଷୋୟୀ(୨୮),ଶଙ୍କର ସ୍ୱାଇଁ(୨୭), ଲିଙ୍କୁନ ପଣ୍ଡା(୨୫) ଏବଂ ଶେରଗଡ଼ ଥାନା ଚିକିଲି ଗ୍ରାମର ଚନ୍ଦନ ଗୌଡ଼(୨୪)। ଥାନା ମାମଲା ନଂ.୩୭୬/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ପ୍ରାୟ ୨ ମାସ ପୂର୍ବେ ଗାଁ ରେ ଅସାମାଜିକ କାର୍ଯ୍ୟକଳାପ ଚଳାଇଥିବା ଦିଗାପାଳୋ ସ୍ବାଇଁ ଓରଫ ଦିଗା ଙ୍କୁ ପ୍ରେମା ଗାଁ ରାସ୍ତା ଉପରେ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲେ।ପରେ ଘଟଣା ଗାଁ ରେ ସମାଧାନ ହୋଇଥିଲା।କିନ୍ତୁ ଏହି ଘଟଣା ପରଠାରୁ ପ୍ରତିଶୋଧ ପାଇଁ ନିଷ୍ପତ୍ତି ନେଇଥିଲେ। ଗୁରୁବାର ରାତି ରେ ପ୍ରେମା ଗାଧୋଇବାକୁ ଗାଁ ନିକଟ ନୂଆ ବଳଧିଆ ଛକ ନିକଟରେ ଥିବା ଜଗନ୍ନାଥ ପଣ୍ଡା ଙ୍କ ଫାର୍ମ ହାଉସ କୁ ଯାଇଥିଲେ। ଗାଁ ର ସ୍ବର୍ଗତ ଶ୍ୟାମ ସ୍ବାଇଁ ଙ୍କ ପୁଅ ଦିଗା ସ୍ବାଇଁ ଏବଂ ତାଙ୍କ ସମର୍ଥକ ମାନେ ସଂଘବଦ୍ଧ ହୋଇ ପୂର୍ବ ଯୋଜନା ପ୍ରକାରେ ଫାର୍ମ ହାଉସ କୁ ଯାଇ ପ୍ରେମା ଙ୍କୁ ବିଭିନ୍ନ ମାରଣାସ୍ତ୍ର ରେ ଘାତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ। ସେ ପ୍ରାଣ ବିକଳରେ ଦୌଡ଼ିବାରୁ ତାଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ପ୍ରେମା ଗାଁ ନିକଟ ବଳଧିଆ ଛକ ନିକଟ ଜମିରେ ପଡିଯିବାରୁ ଦିଗା ଏବଂ ଅନ୍ୟମାନେ ତାଙ୍କ ଡାହାଣ ହାତ, ଅଣ୍ଟା ଓ ଦୁଇଟି ଗୋଡ଼ କୁ ଖଣ୍ଡା ରେ ବାରମ୍ବାର ଚୋଟ ପକାଇଥିଲେ।ଡାହାଣ ହାତ ଟି ସମ୍ପୂର୍ଣ କଟି ଓହଳି ପଡିଥିଲା।ସେ ଚେତାଶୂନ୍ୟ ହୋଇ ପଡ଼ିବାରୁ ମୃତ୍ୟୁବରଣ କରିଗଲା ଭାବନା କରି ସେମାନେ ପଳାଇଥିଲେ। ଫାର୍ମ ହାଉସ ମାଲିକ ଜଗନ୍ନାଥ ପଣ୍ଡା ଅନ୍ୟମାନଙ୍କ ସହାୟତାରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ।ପରେ ଅଧିକା ଚିକିତ୍ସା ପାଇଁ ତାଙ୍କୁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ନିଆଯାଇଥିଲା।ଏନେଇ ପ୍ରେମା ଙ୍କ ଭାଇ ଜିତେନ୍ଦ୍ର ବିଷୋୟୀ ଥାନାରେ ଏତଲା ଦେଇଥିଲେ। ତଦନ୍ତକାରୀ ଅଧିକାରୀ ତଥା ଥାନା ଆଇଆଇସି ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ୪ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାକୁ ଉଠାଇ ଆଣିଥିଲେ। ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ପଚରା ଉଚୁରା କରିବା ସହ ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ପୋଲିସ ଘଟଣାସ୍ଥଳରୁ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ହତ୍ୟା ଉଦ୍ୟମର ବ୍ୟବହୃତ ରକ୍ତଭିଜା ଖଣ୍ଡା ଏବଂ ଅଭିଯୁକ୍ତ ସ୍ଵାଧୀନ ବିଷୋୟୀ ଙ୍କ ଠାରୁ ବାଇକ (ନଂ. ଓଡ଼ି ୦୭ ଏକେ – ୭୬୨୪) ଏବଂ ଲିଙ୍କୁନ ପଣ୍ଡା ଙ୍କ ଠାରୁ ବାଇକ (ନଂ. ଓଡ଼ି୦୭ ଏଡି -୭୯୪୪) ସମେତ ୩ ଟି ମୋବାଇଲ ଫୋନ୍ ଜବତ କରିଛନ୍ତି।ମୁଖ୍ୟ ଅଭିଯୁକ୍ତ ମାନଙ୍କ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଛି ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ଆଇ ଆଇ ସି କହିଛନ୍ତି।


