ଦଳିତ ଆଦିବାସୀଙ୍କୁ ନିର୍ଯ୍ୟାତନାରୁ ସୁରକ୍ଷା ପାଇଁ ଭୁବନେଶ୍ୱରରେ ଆନ୍ତଃରାଜ୍ୟ ବିଚାର ବିମର୍ଷ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ବ୍ୟକ୍ତିମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଥିଲା ବେଳେ ଅତି ନିମ୍ନ ଦୋଷୀ ସାବ୍ୟସ୍ତ ହାର ଏହି ବର୍ଗର ସୁରକ୍ଷା ପାଇଁ ଥିବା ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥାର ଖୋଲା ଉଲଂଘନ ହେଉଥିବା ଦୃଷ୍ଟିରୁ ଏହି ଆଇନ ବ୍ୟବସ୍ଥା ଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ଆନ୍ତଃରାଜ୍ୟ ଦିନିକିଆ ପରାମର୍ଶ ଶିବିର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ, ରାଜ୍ୟର ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ମନମୋହନ ପ୍ରହରାଜ ଓ ନ୍ୟାସନାଲ ଦଳିତ ମୁଭମେଣ୍ଟ ଫର୍ ଜଷ୍ଟିସର ସାଧାରଣ ସମ୍ପାଦକ ଆଡ଼ଭୋକେଟ ରାହୁଲ ସିଂ ବରେଣ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଶିଶୁ ଅଧିକାର ସୁରକ୍ଷା କମିଶନ ଶ୍ରୀମତୀ ପ୍ରଧାନ କହିଥିଲେ ଯେ, ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳନ କଲାବେଳେ ଆମକୁ ଭେଦଭାବହୀନ ସମାନତାର ଅଧିକାର ପାଇଁ ସଂଘର୍ଷ ତୀବ୍ରତର କରିବାକୁ ହେବ । ଏଥିସହିତ ଶିଶୁ ମୃତ୍ୟୁହାର କମ୍ କରିବା ପାଇଁ ଓ ସୁସ୍ଥ ସବଳ ଆଗାମୀ ପୀଢି ପାଇଁ ବାଲ୍ୟ ବିବାହ ବନ୍ଦ କରିବାକୁ କାମ କରିବାକୁ ହେବ । ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ପ୍ରହରାଜ ରାଜ୍ୟରେ କେହି ଜଣେ ହେଲେ ଅନୁସୂଚିତ ଜାତିର ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଅଫିସର ନଥିବା ପ୍ରସଙ୍ଗ ଉଲ୍ଲେଖ କରି ଏପର୍ଯ୍ୟନ୍ତ ଏହି ବର୍ଗର ଯଥେଷ୍ଟ ବିକାଶ ହୋଇନାହିଁ ବୋଲି କହିଥିଲେ । ଏଥିପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ପ୍ରକଶ କରିଥିଲେ ।ରାଜ୍ୟର ଅଗ୍ରଣୀ ଗଣ ସଂଗଠନ ଆମ୍ବେଦକର-ଲୋହିଆ ବିଚାର ମଞ୍ଚ ଓ ନୂଆଦିଲ୍ଲୀର ନ୍ୟାସନାଲ ଦଳିତ ମୁଭମେଣ୍ଟ ଫର୍ ଜଷ୍ଟିସ୍ ସଂଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯ୍ୟାତନା ନିବାରଣ) ଆଇନ୍ ୧୯୮୯ ଓ ନିୟମାବଳୀ ୧୯୯୫ର ଓଡ଼ିଆ ଭାଷାରେ ସଂଶୋଧିତ ସଂସ୍କରଣ ଓ ଲୋକାର୍ପିତ ହୋଇଯାଇଛି । ଏହି ଆଇନ ପୁସ୍ତିକା ରାଜ୍ୟରେ ସଂଗଠକମାନଙ୍କୁ ଓ ନିର୍ଯ୍ୟାତିତ ଗୋଷ୍ଠୀମାନଙ୍କ ସମେତ ସରକାରୀ ଅଧିକାରୀମାନଙ୍କୁ ସଚେତନ କରିବ ବୋଲି ଆମ୍ବେଦକର ଲୋହିଆ ବିଚାର ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ ମଲିକ ଆଶା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସକ୍ରିୟ ଦଳିତ ଆଦିବାସୀ ସଂଗଠନର କର୍ମକର୍ତ୍ତାଙ୍କ ସମେତ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ର ନେତୃତ୍ୱମାନେ ଯୋଗ ଦେଇଥିଲେ । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ୍‌ର କାର୍ଯ୍ୟକାରିତା ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା । ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ଓ ଉପଜିଲ୍ଲାସ୍ତରୀୟ ଭିଜିଲାନ୍ସ ଓ ମନିଟରିଙ୍ଗ କମିଟି ଗଠନ କଲାବେଳେ ସେଥିରେ ଦଳିତ ଆଦିବାସୀ ବର୍ଗର ସକ୍ରିୟ ସଂଗଠକମାନଙ୍କୁ ସଦସ୍ୟ ରୂପେ ନେବା, ଧାରା-୪ ଆଧାରରେ କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀମାନଙ୍କୁ ଦଣ୍ଡିତ କରିବା, ଯଥେଷ୍ଟ ସଂଖ୍ୟକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯିବା ସମ୍ପର୍କରେ ଦୃଢ ମତ ପ୍ରକାଶ ପାଇଛି । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ବିଭିନ୍ନ ଦଳିତ ଆଦିବାସୀ ସଂଗଠନର ଅଭିରାମ ମଲିକ, ଆଡ଼ଭୋକେଟ ହଳଧର ସେଠୀ, ଅନିଲ କୁମାର ମଲିକ, ସଞ୍ଜୟ କୁମାର ମଲିକ, ବନିତା ସାମଲ, ନୟନା ନାୟକ, ବାଲକିଶୋର ଛତର, ଫାଦର ଅଜୟ ସିଂ, ରବି ମଙ୍ଗରାଜ, ଆଡ଼ଭୋକେଟ ଦିଗମ୍ବର ଦୁରିଆ, ବିଭ୍ରାନ୍ତ ବିଶ୍ୱଜିତ, ଯୁଗଳ କିଶୋର ରଣଜିତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ଅରବିନ୍ଦ ମଲିକ ସ୍ୱାଗତ ଭାଷଣ ଦେଇଥିଲେ ଓ ଶେଷରେ କିସାନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଟକର ସ୍ୱତନ୍ତ୍ର ବିଚାରାଳୟରେ ଏକ ଦଳିତ ମାମଲାରେ ଗତକାଲି ଆଜୀବନ କାରାଦଣ୍ଡର ଆଦେଶ ପାଇଥିବା କାରଣରୁ ଆଡ଼ଭୋକେଟ ଅକ୍ଷୟ କୁମାର ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ