ଦୋକାନୀର ମୁଣ୍ଡରେ ରିଭଲଭର୍ ଲଗାଇ ଦାଦାବଟି ମାଗି ଦୁର୍ଦ୍ଧାନ୍ତ ଯୁବକ ଗିରଫ
ବୟାଳିଶମୌଜା, (ଯୁଗାବ୍ଦ ନ୍ୟୁଜ) : କଟକସଦର ବ୍ଲକ୍ ୪୨ମୌଜାର ଜଣେ ଫାଷ୍ଟଫୁଡ ଦୋକାନୀକୁ ୧ହଜାର ଟଙ୍କା ଦାଦାବଟି ମାଗିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗରେ ୪୨ମୌଜା ଥାନା ପୋଲିସ ଆଜି ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଜଣକ ହେଲେ ବ୍ରହ୍ମପୁର କୁମ୍ଭାର ସାହିର ବିରଂଚି ନାରାୟଣ ମୁଦୁଲି (୨୭) । ପୋଲିସ ଅଭିଯୁକ୍ତ ମୁଦୁଲି ଠାରୁ ୧ହଜାର ଟଙ୍କା ସହ ରିଭଲଭର୍ ଜବତ କରିଛି । ପୋଲିସ୍ ସୁତ୍ରରୁ ପ୍ରକାଶ ଯେ ଆଜି ସକାଳେ ଅଭିଯୁକ୍ତ ଦଧିବାମନପୁର ଗ୍ରାମର ନବୀନ ଭୋଇ ନାମକ ଫାଷ୍ଟଫୁଡ୍ ଦୋକାନକୁ ଆସି ଚିକେନ୍ ପକୋଡା ଚାଉମିନ୍ ନେଇଥିଲେ । ତାହାପରେ ଅଭିଯୁକ୍ତ ମୁଦୁଲି ଦୋକାନୀଙ୍କ ମୁଣ୍ଡରେ ରିଭଲଭର୍ ଲଗାଇ ଦାଦାବଟି ମାଗିଥିଲେ । ଭୟରେ ଅଭିଯୋଗକାରୀ ଶ୍ରୀ ଭୋଇ ୨ଖଣ୍ଡ ୫୦୦ଟଙ୍କିଆ ନୋଟ୍ ଅଭିଯୁକ୍ତ ମୁଦୁଲିକୁ ଦେଇଦେଇଥିଲେ । ଏହି ସମୟରେ ଥାନାର ଏସ୍.ଆଇ. ସୁନିଲ ଦଳାଇ ପାଟ୍ରୋଲିଂରେ ଆସୁଥିବା ଜାଣି ଅଭିଯୁକ୍ତ ଉକ୍ତ ଘଟଣା ସ୍ଥଳ ଛାଡି ପଳାଇ ଯାଇଥିଲା । ପୋଲିସ୍ ଅଭିଯୁକ୍ତର ପିଛା କରି ଶ୍ରୀରାମବଜାର ପାଶ୍ୱର୍ ବ୍ରହ୍ମପୁର ତାରିଣୀ ମନ୍ଦିର ନିକଟରୁ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ନିକଟରୁ ଏକ ବନ୍ଧୁକ ଓ ୧୦୦୦ଟଙ୍କା ଜବତ କରାଯାଇଛି । ୪୨ମୌଜା ଥାନା ପୋଲିସ୍ କେସ୍ ନଂ.୧୭୬/୨୦୨୨ ଅନୁସାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ୪୨ମୌଜା ଥାନା ଅଂଚଳରେ ଅପରାଧ ଓ ଅପରାଧିଙ୍କ ସଂଖ୍ୟା ବଢିବାରେ ଲାଗୁଥିବାରୁ ଅଂଚଳରେ ଅଧିକ ପିସିଆର୍ ଓ କର୍ମଚାରୀ ନିୟୋଜିତ କରିବା ସହିତ ଅଭିଯୁକ୍ତମାନଙ୍କ ଉପରେ ପୋଲିସ୍ର କଡା ନଜର ରଖିବାକୁ ଅଂଚଳର ସୁସ୍ଥ ସମାଜ ମିଶନ୍ ଓ ଯୁବଜାଗରଣ ମଂଚ ସହିତ ଅନ୍ୟ ସମସ୍ତ ସାମାଜିକ ସଂଗଠନ ତରଫରୁ ଗୃହ ବିଭାଗ ମନ୍ତ୍ରୀ, ସଚିବ, ପୋଲିସ୍ ଡିଜି , କମିସନର୍ ଓ କଟକ ଡିସିସି, ୪ନଂ ଜୋନ୍ ଏସିପି ଏବଂ ୪୨ମୌଜା ଥାନା ଅଧିକାରୀଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନା କରାଯାଇଛି ।


