କମ୍ୟୁନିଷ୍ଟ ପାର୍ଟିର ଦୁଇଦିନିଆ ସମ୍ମିଳନୀ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଜିଲା ଶାଖାର ଦ୍ୱାବିଂଶ ସମ୍ମିଳନୀ ବାଲେଶ୍ୱର ସହରର ଜଗନ୍ନାଥ କଲ୍ୟାଣ ମଣ୍ଡପରେ ଶନିବାର ଉଦଘାଟିତ ହୋଇଯାଇଛି । ବର୍ଷିୟାନ କମ୍ୟୁନିଷ୍ଟ ନେତା କୈଳାସ ଚନ୍ଦ୍ର ପଣ୍ଡା ଦଳୀୟ ପତାକା ଉତ୍ତୋଳନ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ପ୍ରତିନିଧି ଅଧିବେଶନକୁ ଦଳର ରାଜ୍ୟ ସଂମ୍ପାଦକ ଆଶୀଷ କାନୁନ୍‌ଗୋ ଉଦ୍‌ଘାଟନ ସହ ସାମ୍ପ୍ରତିକ ସ୍ଥିତିରେ ରାଜ୍ୟ ତଥା ରାଷ୍ଟ୍ରର ରାଜନୀତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସହ-ସଂପାଦକ ପ୍ରଶାନ୍ତ ମିଶ୍ର ଦରଦାମ୍ ବୃଦ୍ଧି, ବେକାରୀ, ସାଂପ୍ରଦାୟିକତାବାଦ ଦେଶର ସାଧାରଣ ନାଗରିକଙ୍କୁ ଅତିଷ୍ଠ କରିଛି ବୋଲି କହିଥିଲେ । ଏହି ଦୁଇଦିନିଆ ସମ୍ମିଳନୀରେ ସମସ୍ତ ଅଧିବେଶନରେ କୈଳାସ ଚନ୍ଦ୍ର ପଣ୍ଡା, ଅନାମ ପ୍ରସାଦ ବାରିକ ଓ ପ୍ରଭାବତୀ ଦାସ ଅଧ୍ୟକ୍ଷତା କରୁଛନ୍ତି । ପ୍ରତିନିଧି ଅଧିବେଶନ ପ୍ରାରମ୍ଭରେ ଦିବଂଗତ ସାଥୀମାନଙ୍କ ଉଦ୍ଦେଶ୍ୟରେ ମାୟାଧର ନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଗୌରାଙ୍ଗ ପାଣିଗ୍ରାହୀ ପ୍ରତିନିଧି ତଥା ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଜିଲା ସଂପାଦକ ନିରଞ୍ଜନ ବାରିକ ସାଂଗଠନିକ ଚିଠା ପ୍ରସ୍ତାବ ଓ ସହ-ସଂପାଦକ ଭାଗବତ ପ୍ରତିହାରୀ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଛନ୍ତି । ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିବେ । ୨ୟ ଦିନର ଅନ୍ତିମ ଅଧିବେଶନରେ ଜିଲ୍ଲା ପରିଷଦ ଓ କର୍ମକର୍ତ୍ତା ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ