ଭୁବନେଶ୍ୱରରେ ଗଡ଼ିଲା ବିଦ୍ୟୁତ୍ ଚାଳିତ ବସ୍
ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଗଡ଼ିଛି ବିଦ୍ୟୁତ୍ ଚାଳିତ ବସ୍ । ରୁଟ୍ ନଂ-୨୦ ମାଷ୍ଟରକ୍ୟାଣ୍ଟିନ୍ ଭାୟା ଖୋର୍ଦ୍ଧା ଦେଇ ଜଟଣୀ ପର୍ଯ୍ୟନ୍ତ ଚଳାଚଳ ଆରମ୍ଭ କରିଛି । ଭୁବନେଶ୍ୱରରେ ୫୦ଟି ବିଦ୍ୟୁତ୍ ଚାଳିତ ବସ୍ ଚଳାଚଳ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ବସ୍ କ୍ରୟ ନିମନ୍ତେ କ୍ୟାପିଟାଲ୍ ଅର୍ବାନ୍ ରିଜନ୍ ଟ୍ରାନ୍ସପୋର୍ଟ ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ କରିଛି । ରବିବାର ଚଳାଚଳ କରିଥିବା ବିଦ୍ୟୁତ୍ ଚାଳିତ ବସ୍ଟି ହାଇଦ୍ରାବାଦ୍ରୁ ଅଣାଯାଇଛି । ଦ୍ୱିତୀୟ ଦିନରେ ଆଉ ଏକ ବିଦ୍ୟୁତ୍ ଚାଳିତ ବସ୍ ମାଷ୍ଟର୍ କ୍ୟାଣ୍ଟିନ୍ରୁ ନନ୍ଦନକାନନ ପର୍ଯ୍ୟନ୍ତ ଚଳାଚଳ ଆରମ୍ଭ କରିବ । ଏହି ବସ୍ରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି ୩ଟି ସିସିଟିଭି ଖଞ୍ଜାଯାଇଛି । ଯାତ୍ରୀମାନେ କୌଣସି ଜରୁରୀ ସମସ୍ୟା ଭୋଗିଲେ ସିଟ୍ ପାଖରେ ଥିବା ସୁଇଚ୍ ଦବାଇ ଡ୍ରାଇଭରଙ୍କୁ ସଙ୍କେତ ଦେଇପାରିବେ । ଏଥିରେ ପିଆର୍ଏସ୍ ସିଷ୍ଟମ୍ ରହିଛି । ଯାହା ଦ୍ୱାରା ବସଟି କେଉଁ ରୁଟ୍ରେ ଗଡ଼ୁଛି, ତାହା ଟ୍ରାକ୍ କରାଯାଇପାରିବ । ତେବେ ରବିବାର ଗଡ଼ିଥିବା ବିଦ୍ୟୁତ୍ ଚାଳିତ ବସ୍ରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ଥିବାରୁ ଯାତ୍ରୀଙ୍କ କ୍ଷମତା ଅନୁସାରେ ୫.୨ ଟନ୍ ବାଲିବସ୍ତା ରଖାଯାଇଥିଲା । ଏହି ବସ୍ ସାରା ରାଜଧାନୀରେ ଚଳପ୍ରଚଳ କରିବା ଦ୍ୱାରା ବାୟୁ ପ୍ରଦୂଷଣ ହ୍ରାସ ପାଇବ । ପେଟ୍ରେଲ ଏବଂ ଡିଜେଲର ବ୍ୟବହାର ମଧ୍ୟ କମିବ । ବସରେ ୨୦୦ କିଲୋୱାଟ୍ ୪ଟି ବ୍ୟାଟେରି ସଂଯୋଗ କରାଯାଇଛି । ଏହି ବ୍ୟାଟେରି ୨ ଘଣ୍ଟା ଚାର୍ଜ କଲେ ୨୨୦ କିଲୋମିଟର ଅତିକ୍ରମ କରିବ । ଗାଡ଼ିର ସର୍ବାଧିକ ବେଗ ରହିଛି ୭୫ କିଲୋମିଟର ।ବସ୍ ଭିତରେ ଯାତ୍ରୀଙ୍କ ସୁବିଧା ଲାଗି ସିଟ୍ ପାଖରେ ପାଣି ବୋତଲ ରଖିବା, ୱାଇଫାଇ ସୁବିଧା ଓ ସ୍ୱୟଂଚାଳିତ ଗେଟ୍ ଉପଲବ୍ଧ ରହିଛି । ଏ ସମ୍ପର୍କରେ କ୍ୟାପିଟାଲ୍ ଅର୍ବାନ୍ ରିଜନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ମହାପ୍ରବନ୍ଧକ ଦୀପ୍ତିମୟୀ ମହାପାତ୍ର କହିଛନ୍ତି ଯେ, ବିଦ୍ୟୁତ୍ ଚାଳିତ ବସ କ୍ରୟ କରିବା ପାଇଁ ଟେଣ୍ଡର୍ ପ୍ରକ୍ରିୟା ଚାଲୁରହିଛି । ଏଥିପାଇଁ କୌଣସି ବଜେଟ୍ର ବ୍ୟବସ୍ଥା ହୋଇନାହିଁ । ଟେଣ୍ଡର୍ ନେଇଥିବା ସଂସ୍ଥାମାନେ ନିଜସ୍ୱ ଅର୍ଥରେ ବସ କ୍ରୟ କରିବେ । ପ୍ରତି କିଲୋମିଟର ପିଛା କ୍ରୁଟ୍ ଘରୋଇ ସଂସ୍ଥାକୁ ଟଙ୍କା ଦେବ ।


