ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ପ୍ରେରଣା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ‘ପ୍ରେରଣା ଦିବସ’ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ସଭାଗୃହରେ ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ବିଭାଗର ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠାରେ କ୍ରିୟାନୁଷ୍ଠାନ କମିଟିର ଅବଦାନ ଇତିହାସ ହୋଇ ରହିବ ବୋଲି ମତ ଦେଇଥିଲେ । ଭୁବନେଶ୍ୱରରେ ଗଣଧାରଣା, ବାଲେଶ୍ୱରରେ ବରିଷ୍ଠ ସଦସ୍ୟଙ୍କ ୭ଦିନ ବ୍ୟାପୀ ଆମରଣ ଅନଶନ, ଭୁବନେଶ୍ୱରରୁ ଫେରୁଥିବା ଗଣଧାରଣାକାରୀଙ୍କ ବସ୍ ଦୁର୍ଘଟଣାରେ ଆହତମାନଙ୍କ ତ୍ୟାଗକୁ ବାଲେଶ୍ୱରବାସୀ କେବେ ଭୁଲିପାରିବେ ନାହିଁ । ଲଗାତର ଉଦ୍ୟମ କରି ସଫଳତା ପାଇବା ଏକ ବିରଳ ଦୃଷ୍ଟାନ୍ତ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ପ୍ରଦୀପ ଦାସ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ବରିଷ୍ଠ ଉପଦେଷ୍ଟା ଶମ୍ଭୁନାଥ ମହାନ୍ତି, ପ୍ରଫେସର ଅନନ୍ତ ପ୍ରଧାନ, ଭଗବାନ ଚନ୍ଦ୍ର ରାଉତ, ଦିଲୀ କମିଟିର ସଭାପତି ପ୍ରଫେସର ଅଜୟ ପଟ୍ଟନାୟକଙ୍କ ସମେତ ସନ୍ୟାସୀ ବେହେରା ଓ ସରସ୍ୱତୀ ପଣ୍ଡା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କମିଟିର ଗୌରବମୟ ଆନ୍ଦୋଳନର ତ୍ୟାଗ ଜିଲାବାସୀଙ୍କ ପାଇଁ ସବୁଦିନ ସ୍ମୃତି ରହିବା ସହ ପ୍ରେରଣା ଦେଉଥିବ ବୋଲି ମତ ପ୍ରକାଶ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ପ୍ରେରଣା ଦିବସର ତାତ୍ପର୍ଯ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ର ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ତୁରନ୍ତ କରାଇବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଅତିରିକ୍ତ ସାଧାରଣ ସଂପାଦକ ଇଂ. ହୃଷିକେଶ ସାହୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଶତାଧିକ ସଦସ୍ୟ ସଦସ୍ୟା ଏହି ସଭାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ