“ଚେହେରେ’ କୃତିଙ୍କୁ ରିପ୍ଲେସ୍ କଲେ କ୍ରିଷ୍ଟଲ
ଅମିତାଭ ବଚ୍ଚନ ଓ ଇମରାନ୍ ହାସମିଙ୍କ ଫିଲ୍ମ”ଚେହେରେ’ରୁ ଅଭିନେତ୍ରୀ କୃତି ଖରବନ୍ଦା ବାହାରିବା ପରେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଏବେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି । ନିର୍ମାତାଙ୍କୁ ନୂଆ ହିରୋଇନ୍ ମିଳିଯାଇଛନ୍ତି । ଆଉ ସେ ହେଉଛନ୍ତି ଟେଲି ଦୁନିଆର ଜଣେ ଚର୍ଚ୍ଚିତ ଅଭିନେତ୍ରୀ । “ଚେହେରେ’ର ଲିଡ୍ ହିରୋଇନ୍ ପାଇଁ ଟେଲି ଅଭିନେତ୍ରୀ କ୍ରିଷ୍ଟଲ୍ ଡିସୌଜାଙ୍କୁ ଫାଇନାଲ୍ କରାଯାଇଛି । ତାଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ଭଲ ଲାଗିଥିଲା । ତେଣୁ ତାଙ୍କୁ ହିଁ ଫାଇନାଲ୍ କରାଯାଇଛି । ଏପରିକି ସେ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି । କ୍ରିଷ୍ଟଲ୍ ନିଜ ଡେବ୍ୟୁ ଫିଲ୍ମ “ଚେହେରେ’ର ଶୁଟିଂ ସେଟରୁ ଏକ ଫଟୋକୁ ନିଜ ଟ୍ୱିଟର୍ ହାଣ୍ଡେଲରେ ଶେଆର କରିଛନ୍ତି । ଏହା ପୂର୍ବରୁ ମୌନି ରୟ ଓ ଅଙ୍କିତା ଲୋଖଣ୍ଡେଙ୍କ ନାଁ ସାମ୍ନାକୁ ଆସିଥିଲା । ନିର୍ଦ୍ଦେଶକ ରୁମି ଜାଫେରୀ ଓ ପ୍ରୟାଜକ ଆନନ୍ଦ ପଣ୍ଡିତଙ୍କର ପ୍ରଥମ ପସନ୍ଦ ଥିଲେ ମୌନି ।କିନ୍ତୁ ମୌନି ଏବେ ତାଙ୍କ ଅପକମିଂ ଫିଲ୍ମ”ବ୍ରହ୍ମାସ୍ତ୍ର’ର ଶୁଟିଂରେ ବ୍ୟସ୍ତ ଥିବାରୁ ସେ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ । ସୂଚନାଯୋଗ୍ୟ, ଫିଲ୍ମ “ଚେହେରେ’ପାଇଁ ସର୍ବପ୍ରଥମେ କୃତିଖରବନ୍ଦାଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ସେ ଫିଲ୍ମର ଶୁଟିଂ ସମୟରେ ଅନେକ ଦୃଶ୍ୟକୁ ନିଜ ହିସାବରେ କରିବାକୁ ଚାହିଁଥିଲେ । ନିର୍ଦ୍ଦେଶକ ତାଙ୍କ ହିସାବରେ କିଛି ଦୃଶ୍ୟ ବଦଳାଇଥିଲେ ମଧ୍ୟ । ହେଲେ ବାରମ୍ବାର ଏଭଳି ହେବାରୁ ତାଙ୍କୁ ନିର୍ମାତା ବାହାରର ରାସ୍ତା ଦେଖାଇ ଦେଇଥିଲେ ବୋଲି ଜଣାପଡ଼ିଛି ।


