“ ମା ତାରା ତାରିଣୀ”ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ସମ୍ପର୍କିତ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ “ମା ତାରା ତାରିଣୀ”ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ଚଳିତ ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାର ସମସ୍ତ ନୀତି ନିୟମ, ପୂଜା ପଦ୍ଧତି, ଜନ ସାଧାରଣଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଆଇନ ଶୃଙ୍ଖଳା, ଯାନ ବାହନ ରଖିବା ସ୍ଥାନ, ଟ୍ରାଫିକ୍ ପରିଚାଳନା, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମ୍ପର୍କରେ ଆଲୋଚନା ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତଙ୍କୁ ସ୍ବାଗତ ଜଣାଇ ଅବଗତ କରାଇଥିଲେ ଯେ, ବିଗତ ଦୁଇବର୍ଷ କୋଭିଡ୍ କଟକଣା ଯୋଗୁଁ ଜନ ସାଧାରଣଙ୍କୁ ବାଦ୍ ଦେଇ ଶୋଡଷ ପୂଜା ଓ ନବରାତ୍ର ପୂଜା ହୋଇଥିଲା । ସମ୍ପ୍ରତି ଜନସାଧାରଣ ମା ଙ୍କ ପୂଜା ସକାଶେ ମନ୍ଦିର ଆସିପାରିବେ । ଜନଗହଳିକୁ ଆଖି ଆଗରେ ରଖି କିଭଳି ଶୃଙ୍ଖଳିତ ଭାବେ ଚଳିତ ବର୍ଷର ପୂଜା ହେବ ସେଥି ସକାଶେ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଗସ୍ତ କରି ପୂର୍ବ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପ୍ରିୟ ରଞ୍ଜନ ପୃଷ୍ଟି ମା ଙ୍କ ପୂଜା ସକାଶେ କିଭଳି ବ୍ୟବସ୍ଥା କରାଗଲେ ଜନ ସାଧାରଣ ଅବାଧରେ ଶୃଙ୍ଖଳିତ ପୂଜା କରିପାରିବେ ସେଥି ସକାଶେ ନିଜର ମତ ଉପସ୍ଥାପନ କରିଥିଲେ । ଅଖଣ୍ଡ ଦୀପ ସକାଶେ, ପୂଜକ ମାନେ ରହିବା ବ୍ୟବସ୍ଥା, ପ୍ରସାଦ ସେବନ ଇତ୍ୟାଦି ବିଷୟରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ଅନେକ ଦିନ ହେଲା ମା ଙ୍କ ହୁଣ୍ଡି ଖୋଲାଯାଇନାହିଁ । ତହସିଲଦାରଙ୍କ ଉପସ୍ଥିତିରେ ଦିନ ଧାର୍ଯ୍ୟ କରାଯାଇ ଭିଡିଓ ରେକର୍ଡିଂ କରି ହୁଣ୍ଡି ଖୋଲିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଋଷିକୂଲ୍ୟା ନଦୀରୁ ଜଳ କଳସ ଆଣିବା ବେଳେ ଟ୍ରାଫିକ୍ ବ୍ୟବସ୍ଥା, ରାସ୍ତା ସଫେଇ, ଜଳ ସ୍ବଚ୍ଛ କରିବା ନେଇ ଆଲେଚନା ହୋଇଥିଲା । ବିଶେଷ କରି ଚଳିତ ମାସ ୨୬ ତାରିଖ ଠାରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ନବରାତ୍ର ପୂଜା ସମୟରେ ଅଧିକ ଜନ ଗହଳି ହେବ ସେଥି ସକାଶେ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ବୈଠକରେ ରାସ୍ତା ଓ କୋଠାବାଡି ବିଭାଗର ମୁଖ୍ୟ ତପନ କୁମାର ପାଣିଗ୍ରାହୀ, ବିଡିଏ ସଚିବ ସମ୍ବିତ କୁମାର ରାଉତ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ଆର୍.ଡବ୍ଲ୍ୟୁ.ଏସ୍.ଏସ୍. ସହକାରୀ ଯନ୍ତ୍ରୀ ସରୋଜ କୁମାର ପାଢୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଭାରପ୍ରାପ୍ତ ଥାନା ଅଧିକାରୀ ପିୟୁଷ ରଞ୍ଜନ ଛୋଟରାୟ, ଏସ୍.ଡି,ପି.ଓ. ସୂର୍ଯ୍ୟମଣୀ ପ୍ରଧାନ, ମନ୍ଦିର କାର୍ଯ୍ୟକାରୀ ଟି.କେ.ରେଡ୍ଡୀ, ମନ୍ଦିର ଉନ୍ନୟନ କମିଟି ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ପୂଜକ ସଭାପତି ତପନ କୁମାର ରଣା, ବାପୁଜୀ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ