ମହିଳା-ଶିଶୁ ଡେସ୍କ ଆଭିମୁଖ୍ୟ କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ଥାନାରେ ମହିଳା ଓ ଶିଶୁ ହେଲପ ଡେସ୍କ ଆଭିମୁଖ୍ୟ କାର୍ଯ୍ୟକାରିତାରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱବୋଧତା ସମ୍ପର୍କିତ ଦୁଇ ଦିନିଆ କର୍ମଶାଳା ବାମପଦା ସ୍ଥିତ ନୋସି ବିଜିନେସ ପାର୍କଠାରେ ସୋମବାର ଉଦଘାଟିତ ହୋଇଯାଇଛି । ଆନ୍ତର୍ଜାତିକ ସଂସ୍ଥା ୟୁନିସେଫର ବୈଷୟିକ ସହାୟତାରେ ‘ଓଡ଼ିଶା ପୁଲିସ କ୍ରାଇମ ଏଗେନଷ୍ଟ ୱିମେନ ଏଣ୍ଡ ଚାଇଲ୍ଡ ୱିଙ୍ଗ’ ପକ୍ଷରୁ ଉତ୍ତର ଓଡିଶାର ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଏହି କର୍ମଶାଳା ଆରମ୍ଭ ହୋଇଛି । ଅତିରକ୍ତ ପୁଲିସ ମହାନିର୍ଦ୍ଦେଶିକା ଲେଖା ଲୋହାନି ଏଥିରେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିବା ସହ ପୀଡ଼ିତ ମହିଳା ଓ ଶିଶୁଙ୍କୁ ଆଇନଗତ ସହାୟତା ପ୍ରଦାନ ସମୟରେ ପୁଲିସ ଅଧିକାରୀ ତଥା କର୍ମଚାରୀଙ୍କ ଆଚରଣ ଓ ବ୍ୟବହାର ସମ୍ପର୍କରେ ଆଲୋକପାତ କରିଥିଲେ । ସହାୟତା ପାଇଁ ଡେସ୍କକୁ ଆସୁଥିବା ପୀଡ଼ିତଙ୍କୁ ଆବଶ୍ୟକ ସୁରକ୍ଷା ପ୍ରଦାନ ସହ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ଶ୍ରୀମତୀ ଲୋହାନି ପରାମର୍ଶ ଦେଇଥିଲେ । ଓଡ଼ିଶା ପୁଲିସର କ୍ରାଇମ ଏଗେନଷ୍ଟ ୱିମେନ ଏଣ୍ଡ ଚାଇଲ୍ଡ ୱିଙ୍ଗ ପକ୍ଷରୁ ଭୁବନେଶ୍ୱରରୁ ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ଓଡିଶାର ୫ଟି ଜିଲାର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସେ ସୂଚନା ଦେଇଥିଲେ । ପ୍ରଥମ ଦିନ ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଏବଂ ଦ୍ୱିତୀୟ ଦିନରେ ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ମହିଳା ଓ ଶିଶୁ ଡେସ୍କ ଅଧିକାରୀ ତଥା କର୍ମଚାରୀମାନେ ଏହି କର୍ମଶାଳରେ ଯୋଗଦେବେ ବୋଲି ସେ କହିଥିଲେ ।୨୦୦୫ ମସିହାରୁ ଓଡିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ଓ ଶିଶୁ ହେଲପ ଡେସ୍କ । ପ୍ରଥମ ପର୍ଯ୍ୟାୟରେ ୪୦ଟି ଥାନାରେ ଏହା କାର୍ଯ୍ୟକ୍ଷମ ହୋଇଥିବା ବେଳେ ସମ୍ପ୍ରତି ସମଗ୍ର ରାଜ୍ୟର ୬୦୮ଟି ଥାନାରେ ସୁଚାରୁରୂପେ ପରିଚାଳିତ ହେଉଛି ବୋଲି ଶ୍ରୀମତୀ ଲୋହାନି କହିଥିଲେ । ପୂର୍ବାଞ୍ଚଳ ଜୋନ ପୁଲିସ ମହାନିରୀକ୍ଷକ ହିମାଂଶୁ ଲାଲ ଏଥିରେ ଯୋଗଦେଇ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଏଥିରେ ଅଂଶଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମାର୍ଗଦର୍ଶନ କରାଇଥିଲେ । ଏଥିରେ ମାଷ୍ଟର ଟ୍ରେନର ଚାଇଲ୍ଡ ଲାଇନ୍‌ର କେ ରମେଶ, ରାଜୁ କୁଟାଇ ଓ ଆର୍କା ଲାହା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଡିଆଇବି ଡିଏସପି ବ୍ରଜେଶ୍ୱରୀ ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ