ନଦୀ ଓ ଜଳଉତ୍ସ ସୁରକ୍ଷା ଦାବିରେ ଜଳସତ୍ୟାଗ୍ରହ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାର ନଦୀ ଓ ଜଳ ଉତ୍ସଗୁଡ଼ିକର ସୁରକ୍ଷା ଦାବିରେ ଲୋକଶକ୍ତି ଓ ଜନ ଆନ୍ଦୋଳନର ରାଷ୍ଟ୍ରୀୟ ସମନ୍ୱୟ ସମିତି ପକ୍ଷରୁ ସହର ଉପକଣ୍ଠ କାଠସିଙ୍ଗଡ଼ା ସ୍ଥିତ ସୋନ, ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ସଙ୍ଗମସ୍ଥଳରେ ଜଳ ସତ୍ୟାଗ୍ରହ ଶୁକ୍ରବାର ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି । ଜଳ ସତ୍ୟାଗ୍ରହ ପୂର୍ବରୁ ସିଭିଲ୍ ସୋସାଇଟି ପକ୍ଷରୁ ତ୍ରିବେଣୀ ସଙ୍ଗମ କୂଳରେ ଆହୂତ ସାଧାରଣ ସଭାରେ ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ପରିବେଶବିତ୍ ତଥା ମେଗାସିସ୍ ପୁରସ୍କାରପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରା ଏହି ସଭାରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ନଦୀ ଓ ଜଳଉତ୍ସର ସ୍ଥିତି ଓ ବୃଦ୍ଧି ପାଉଥିବା ପ୍ରଦୂଷଣ ମାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ଗତ ଶହେ ବର୍ଷ ମଧ୍ୟରେ ଦେଶର ତଥା ଆମ ରାଜ୍ୟର କିଛି ନଦୀର ମୃତ୍ୟୁ ହୋଇଯାଇଛି ବୋଲି ଦୃଷ୍ଟାନ୍ତ ସହ ସେ ଉପସ୍ଥାପନା କରିଥିଲେ । ନଦୀ ଓ ତାର ଜଳ ଉତ୍ସର ସୁରକ୍ଷା କରା ନଗଲେ ଏହାର ଉପତ୍ୟକାରେ ସୃଷ୍ଟି ହୋଇଥିବା ମାନବ ସଭ୍ୟତା ଓ ଜୀବଜଗତ ଲୋପ ପାଇବ ବୋଲି ଶ୍ରୀ ସାମନ୍ତରା ଉଦବେଗ ପ୍ରକାଶ କରିଥିଲେ । ସୋସାଇଟିର ସମ୍ପାଦକ ଆଇନଜୀବୀ ମନୋଜ ନାୟକ ନଦୀ ସୁରକ୍ଷା ଅଭିଯାନର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ । ଅଭିଯାତ୍ରୀ ଦଳର ରାଜ୍ୟ ଆବାହକ କଲ୍ୟାଣ ଆନନ୍ଦ, ଗବେଷିକା ଡ. ବ୍ରତିନ୍ଦି ଜେନା, ତ୍ରିବେଣୀ ପୀଠର ମଠାଧୀଶ ଦୟାନନ୍ଦଜୀ, ରୋଟାରିଆନ୍ ନିକୁଞ୍ଜ ମହାନ୍ତି, ପୂର୍ବତନ ବିଧାୟକ କିଶୋର ଦାଶ, ସାମାଜିକ କର୍ମୀ ଅରୁଣ ଜେନା, ବେଣୁଧର ସାହୁ, ସ୍ଥାନୀୟ ବାସିନ୍ଦା ନିରଞ୍ଜନ ଗିରି, ଅଞ୍ଜଳି ସାମଲ, ବାଲିଆପାଳ ଭିଟାମାଟି ସୁରକ୍ଷା ଆନ୍ଦୋଳନ କର୍ମୀ ଅନୁଜ ମହାପାତ୍ର, ଆଇନଜୀବୀ ତୁଷାର ମହାପାତ୍ର ଓ ସୀତାରାମ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଗଗନ କୁମାର ସେଠୀ ଧନ୍ୟବାଦ ଦେଇଥିଲେ । ସାଧାରଣ ସଭା ପରେ ସଙ୍ଗମସ୍ଥଳରେ ଜଳ ସତ୍ୟାଗ୍ରହରେ ଅଭିଯାତ୍ରୀ ଓ ସିଭିଲ୍ ସୋସାଇଟିର ସଦସ୍ୟମାନେ ଯୋଗ ଦେଇଥିଲେ ।ଅପରାହ୍ଣ୍ନରେ ସ୍ଥାନୀୟ ଷ୍ଟେସନକ୍ଲବ ସଭାଗୃହରେ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଓ ବୁଦ୍ଧିଜୀବୀମାନଙ୍କ ବୈଠକରେ ଶ୍ରୀ ସାମନ୍ତରା ଯୋଗ ଦେଇଥିଲେ । ବିକାଶ ନାମରେ ସମ୍ପ୍ରତି ପ୍ରାକୃତିକ ସଂପଦକୁ ଯେଭଳି ଧ୍ୱଂସ କରାଯାଉଛି, ତାହା ଆଗାମୀ ବଂଶଧରମାନଙ୍କ ପାଇଁ ମହାବିପଦ ସୃଷ୍ଟିକରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଶ୍ରୀ ସାମନ୍ତରାଙ୍କ ଲିଖିତ ପୁସ୍ତକ ‘ଆମ ଭବିଷ୍ୟତ କେତେ ସୁରକ୍ଷିତ’କୁ ବରିଷ୍ଠ ଆଇନଜୀବୀ ଶରତ ମହାପାତ୍ର ଉନ୍ମୋଚନ କରିଥିଲେ । ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।