ସମାଜସେବୀ ବିସ୍ମୟ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା
ବାଲେଶ୍ୱର, (ସରୋଜ ପଣ୍ଡା):ସମାଜସେବୀ ବିସ୍ମୟ ମହାନ୍ତିଙ୍କ ୫ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତିସଭା ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଆଜିକାଲି ପ୍ରେସ ପରିସରରେ ଆୟୋଜିତ ଏହି ସ୍ମୃତିସଭାରେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମହାନ୍ତି ଓ ତାଙ୍କ ପତ୍ନୀ ସ୍ୱର୍ଗତା ବିଜୟଲକ୍ଷ୍ମୀ ମହାନ୍ତିଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସତ୍ୟ ଓ ନିରପେକ୍ଷ ଖବରକୁ ନିର୍ଭିର୍କତାର ସହ ପ୍ରକାଶ ସାଙ୍ଗକୁ ସ୍ୱର୍ଗତ ମହାନ୍ତିଙ୍କ ସାଂଗଠନିକ କାର୍ଯ୍ୟଧାରାକୁ ଆଜି ବି ବାଲେଶ୍ୱରର ଲୋକେ ମନେ ପକାଉଛନ୍ତି ବୋଲି ଶ୍ରୀମତୀ ସାହୁ କହିଥିଲେ । ସଂସ୍କୃତି ଓ ପରମ୍ପରା ରକ୍ଷାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ ବାଲେଶ୍ୱର ପାଇଁ ଗୌରବ ହୋଇପାରିଛି ବୋଲି ସେ ମତ ଦେଇଥିଲେ । ସ୍ୱଗର୍ତ ମହାନ୍ତିଙ୍କ ବଡ଼ଭାଇ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ, ଯୁବ ସଂଗଠକ ଭାଗବତ ସାହୁ, ‘ଆଜିକାଲି’ର ପ୍ରକାଶକ ସମାଜସେବୀ କିଶୋର ଦାସ ପ୍ରମୁଖ ଏଥିର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିସ୍ମୟ ମହାନ୍ତି ଓ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସହଯୋଗୀପୂର୍ଣ୍ଣ କାର୍ଯ୍ୟଧାରା ଓ ଦୁଃସାହସିକ ନିଷ୍ପତ୍ତି ଯୋଗୁଁ ସହରର ବହୁ ଅନୁଷ୍ଠାନ ଅଦ୍ୟାବଧି ତିଷ୍ଠି ରହିଛି ବୋଲି କହିଥିଲେ । ବାଲେଶ୍ୱର ସହରର ବିକାଶ ଜନଜାଗରଣ କ୍ଷେତ୍ରରେ ତାଙ୍କର ଉଦ୍ୟମକୁ ସହରବାସୀ କେବେ ଭୁଲିପାରିବେ ନାହିଁ । ଜଣେ ସୁସଂଗଠକ, ଅନୁଷ୍ଠାନପ୍ରେମୀ, ମେଳାପୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ଅବର୍ତ୍ତମାନ ସମାଜସେବା କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜିକାଲି ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ଲକ୍ଷ୍ମୀନାରାୟଣ ମହାନ୍ତି ଏହି ସ୍ମୃତିସଭାରେ ପୌରୋହିତ୍ୟ କରିଥିଲେ । ଭାବଗ୍ରାହୀ ମହାନ୍ତି, ରାମନାରାୟଣ ଶତପଥୀ, ଦେବବ୍ରତ ପାଣିଗ୍ରାହୀ, ବନଲତା ମହାନ୍ତି, ସଂଧ୍ୟାରାଣୀ ଦାସ, କାଉନଲିସର ସତ୍ୟଶିବ ସୁନ୍ଦର ଦାଶ, ସ୍ୱର୍ଗତ ମହାନ୍ତିଙ୍କ କନ୍ୟା ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ଜ୍ୱାଇଁ ରାଜେନ୍ଦ୍ର ପଟ୍ଟନାୟକ, ପୁତ୍ର ନିର୍ମାଲ୍ୟ ମହାନ୍ତି, ପୁତୁରା ଡ. ଶ୍ରୀମାନ ଶ୍ରୀଚନ୍ଦନ, ପୁତୁରାବୋହୂ ଇଂ ନିହାରିକା ମହାନ୍ତି, ଭାଉଜ ଜ୍ୟୋତିର୍ମୟୀ ପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ମହାନ୍ତି ଓ ପତ୍ନୀ ସ୍ୱର୍ଗତା ବିଜୟଲକ୍ଷ୍ମୀଙ୍କ ଜୀବନଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।