ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ରୟାସ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଏକ ନୂଆ ଯୋଜନା- ‘‘ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ରୟାସ (ପିଏମ-ଡିଭାଇନ)କୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ୨୦୨୨-୨୩ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ । ୧୦୦ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ସହିତ ପିଏମ-ଡିଭାଇନ ନାମକ ନୂଆ ଯୋଜନା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଟେ ଏବଂ ଏହାକୁ ଉତ୍ତରପୂର୍ବାଞ୍ଚଳ ବିକାଶ (ଡୋନର) ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯିବ । ପିଏମ-ଡିଭାଇନ ଯୋଜନାରେ ୨୦୨୨-୨୩ ଠାରୁ ୨୦୨୫-୨୬ (ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ) ପର୍ଯ୍ୟନ୍ତ ଚାରି ବର୍ଷର ଅବଧିରେ ମୋଟ ୬ ହଜାର ୬ଶହକୋଟି ଟଙ୍କା ବ୍ୟୟ କରାଯିବ । ପିଏମ-ଡିଭାଇନ ପ୍ରକଳ୍ପକୁ ୨୦୨୫-୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବ ଯାହାଫଳରେ ଏହି ବର୍ଷ ପରେ କୌଣସି ପ୍ରତିବଦ୍ଧ ଦେୟତା ରହିବ ନାହିଁ । ଏହାର ଅର୍ଥ ହେଉଛି ଯୋଜନା ଅଧୀନରେ ମୁଖ୍ୟତଃ ୨୦୨୨-୨୩ ଏବଂ ୨୦୨୩-୨୪ ବର୍ଷରେ ରହିଥିବା କଟକଣାର ଫ୍ରଣ୍ଟ ଲୋଡିଂ ପାଇଁ ପ୍ରୟାସ କରାଯିବ । ଅନ୍ୟପକ୍ଷରେ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ସମୟରେ ଖର୍ଚ୍ଚକୁ ଜାରି ରଖାଯିବ ଏବଂ ପିଏମ-ଡିଭାଇନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲାଗି ମୁଖ୍ୟତଃ ଧ୍ୟାନ ଦିଆଯିବ । ପିଏମ-ଡିଭାଇନ ଯୋଜନା ମୌଳିକ ଭିତ୍ତିଭୂମି ନିର୍ମାଣ, ଉଦ୍ୟୋଗ, ସାମାଜିକ ବିକାଶ ପ୍ରକଳ୍ପକୁ ସହଯୋଗ କରିବ ଏବଂ ଯୁବକ ତଥା ମହିଳାମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଯାହାଫଳରେ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ । ପିଏମ-ଡିଭାଇନକୁ ଉତ୍ତରପୂର୍ବାଞ୍ଚଳ ପରିଷଦ କିମ୍ବା କେନ୍ଦ୍ର ମନ୍ତ୍ରଣାଳୟ, ଏଜେନ୍ସି ମାଧ୍ୟମରେ ଡୋନର ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯିବ । ପିଏମ-ଡିଭାଇନ ଅଧୀନରେ ମଞ୍ଜୁରିପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଉପଯୁକ୍ତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଲାଗି ଉପାୟ କରାଯିବ ଯାହାଫଳରେ ଏଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରିବ । ସରକାରୀ ପ୍ରକଳ୍ପର ସମୟ ଏବଂ ଖର୍ଚ୍ଚରେ ବୃଦ୍ଧି ଜନିତ ନିର୍ମାଣ ବିପତ୍ତିକୁ ସୀମିତ କରିବା ଲାଗି, ଯଥାସମ୍ଭବ, ଏଗୁଡ଼ିକୁ ଇଞ୍ଜିନିୟରିଂ – କ୍ରୟ – ନିର୍ମାଣ (ଇପିସି) ଆଧାରରେ ଲାଗୁ କରାଯିବ। ପିଏମ ଗତିଶକ୍ତି ଭାବନା ସହ ସମନ୍ବିତ ଢଙ୍ଗରେ ମୌଳିକ ଭିତ୍ତିଭୂମିକୁ ପାଣ୍ଠି ଯୋଗାଣ, ଏନଇଆର ଦ୍ବାରା ଅନୁଭବ କରାଯାଇଥିବା ଆବଶ୍ୟକତା ଆଧାରରେ ସାମାଜିକ ବିକାଶ ପ୍ରକଳ୍ପଗୁଡ଼ିକୁ ସମର୍ଥନ, ଯୁବକ ଏବଂ ମହିଳାମାନଙ୍କ ପାଇଁ ଜୀବିକା ସମ୍ବନ୍ଧୀୟ କାମ ନିମନ୍ତେ ସୁଯୋଗ ସୃଷ୍ଟି କରିବା, ବିଭିନ୍ନ କ୍ଷେତ୍ରରେ ବିକାଶଜନିତ ଶୂନ୍ୟସ୍ଥାନକୁ ପୂରଣ କରିବା, ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଡୋନର ମନ୍ତ୍ରଣାଳୟର ଅନ୍ୟ ଯୋଜନା ରହିଛି । ଡୋନର ମନ୍ତ୍ରଣାଳୟର ଅନ୍ୟ ଯୋଜନା ଅଧୀନରେ ପ୍ରକଳ୍ପଗୁଡ଼ିକର ହାରାହାରୀ ଆକାର ପାଖାପାଖି ୧୨ କୋଟି ଟଙ୍କା ରହିଥାଏ । ତେବେ ପିଏମ ଡିଭାଇନ ଯୋଜନା ମୌଳିକ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ପ୍ରକଳ୍ପକୁ ସହାୟତା ପ୍ରଦାନ କରିବ ଯାହାକି ଆକାରରେ ବଡ଼ ହୋଇପାରିବ ଏବଂ ଭିନ୍ନ ଭିନ୍ନ ପ୍ରକଳ୍ପ ପରିବର୍ତ୍ତେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିକାଶ ସମାଧାନ ଯୋଗାଇ ଦେବ । ଏହା ସୁନିଶ୍ଚିତ କରାଯିବ ଯେ ପିଏମ-ଡିଭାଇନ ଅଧୀନରେ ଡୋନର ମନ୍ତ୍ରଣାଳୟ କିମ୍ବା ଅନ୍ୟ କୌଣସି ମନ୍ତ୍ରଣାଳୟ/ବିଭାଗର ଅନ୍ୟ ଯୋଜନାଗୁଡ଼ିକ ସହିତ ପ୍ରକଳ୍ପ ସହାୟତାର ଦୋହରିକରଣ ହେବ ନାହିଁ । ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଏନଇଆର)ରେ ବିକାଶ ବ୍ୟବଧାନକୁ ଦୂର କରିବା ଲାଗି କେନ୍ଦ୍ର ବଜେଟ ୨୦୨୨-୨୩ରେ ପିଏମ-ଡିଭାଇନର ଘୋଷଣା କରାଯାଇଥିଲା। ପିଏମ-ଡିଭାଇନର ଘୋଷଣା କେନ୍ଦ୍ର ସରକାରଙ୍କ ଦ୍ବାରା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ ଦିଆଯାଉଥିବା ଗୁରୁତ୍ବର ଆଉ ଏକ ଉଦାହରଣ। ପିଏମ-ଡିଭାଇନ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ବିକାଶ ପାଇଁ ଉପଲବ୍ଧ ଆର୍ଥିକ ସମ୍ବଳ ଠାରୁ ଅତିରିକ୍ତ ଅଟେ। ଏହା ବର୍ତ୍ତମାନର କେନ୍ଦ୍ର ଏବଂ ରାଜ୍ୟ ଯୋଜନାର ବିକଳ୍ପ ହେବ ନାହିଁ । ତେବେ ପିଏମ-ଡିଭାଇନ ଅଧୀନରେ ୨୦୨୨-୨୩ ଲାଗି ମଞ୍ଜୁର ହେବାକୁ ଥିବା କେତେକ ପ୍ରକଳ୍ପ ବଜେଟ୍ ଘୋଷଣାର ଅଂଶବିଶେଷ ଅଟେ, ସାଧାରଣ ଜନତାଙ୍କ ପାଇଁ ଯଥେଷ୍ଟ ସାମାଜିକ-ଆର୍ଥିକ ପ୍ରଭାବ କିମ୍ବା ସ୍ଥାୟୀ ଜୀବିକା ସୁଯୋଗ ରହିଥିବା ପ୍ରକଳ୍ପ (ଯଥା, ସମସ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ମୌଳିକ ଭିତ୍ତିଭୂମି, ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ବ୍ୟାପକ ସୁବିଧା ଆଦି) ଉପରେ ଭବିଷ୍ୟତରେ ବିଚାର କରାଯାଇପାରିବ । ପିଏମ-ଡିଭାଇନ ଯୋଜନା ଘୋଷଣା କରାଯିବାର ଔଚିତ୍ୟ ହେଉଛି ମୌଳିକ ସର୍ବନିମ୍ନ ସେବା (ବିଏମଏସ) ସଂକ୍ରାନ୍ତରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କର ମାପଦଣ୍ଡ ବା ପାରମିଟର ହାରାହାରୀ ଠାରୁ ବେଶ୍ ତଳେ ରହିଛି । ନୀତି ଆୟୋଗ, ୟୁଏନଡିପି ଏବଂ ଡୋନର ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବିଇଆର ଜିଲ୍ଲା ଦୀର୍ଘସ୍ଥାୟୀ ବିକାଶ ଉଦ୍ଦେଶ୍ୟ (ଏସଡିଜି) ସୂଚକାଙ୍କ ୨୦୨୧-୨୨ ଅନୁଯାୟୀ ଗୁରୁତ୍ବପୂର୍ଣ୍ଣ ବିକାଶ କ୍ଷେତ୍ରରେ କେତେକ ଅଭାବ ରହିଛି । ଏହି ବିଏମଏସ ଅଭାବ ଏବଂ ବିକାଶ ଶୂନ୍ୟସ୍ଥାନକୁ ଦୂର କରିବା ଲାଗି ନୂଆ ଯୋଜନା ପିଏମ-ଡିଭାଇନ ଘୋଷଣା କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ