ବେଧଡକ ଚାଲିଛି ବେଆଇନ ବାଣ ନିର୍ମାଣ
ନିମାପଡ଼ା, (ସନ୍ତୋଷ ଦାଶ):ଦୁଇ ବର୍ଷକଟକଣା ପରେ ଚଳିତ ବର୍ଷ ବାଣ ନିର୍ମାଣ, ବିକ୍ରୀ, ଫୁଟାଇବାକୁ ସରକାର ଅନୁମତି ଦେବାପରେ ବାଣ କାରିଗର ମାନେ ବାଣ ପ୍ରସ୍ତୁତି ରେ ଲାଗି ପଡିଛନ୍ତି। ଏହି ସମୟ ରେ ତତ୍ପର ହୋଇପଡ଼ିଛନ୍ତି ଅଣ ଲାଇସେନ୍ସ ପ୍ରାପ୍ତ ବାଣ ମାଫିଆ। ପୁରୀ ଜିଲ୍ଲା ର ବାଜପୁର, ନୁଆହାଟ, ଚାରିଛକ, ବାହାରେଣା,ଖେଲାର, ଅସ୍ତରଙ୍ଗ ପ୍ରଭୁତି ସ୍ଥାନ ରେ କିଛି ବ୍ୟକ୍ତି ଦିନ ମଜୁରିଆ, ଶ୍ରମିକ ମାନଙ୍କୁ ଲଗାଇ ଖୋଲାଖୋଲି ଭାବେ ବେଆଇନ ଭାବେ ବିଭିନ୍ନ ପ୍ରକାର ବାଣ ପ୍ରସ୍ତୁତି କରୁଛନ୍ତି। ଉକ୍ତ ବ୍ୟକ୍ତି ମାନେ ବିନା ଲାଇସେନ୍ସରେ ବିପଦଜନକ ଭାବେ ବାଣ ପ୍ରସ୍ତୁତ କରୁଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଅଘଟଣ ଆଶଙ୍କାରେ ଜନ ସାଧାରଣ ଆତଙ୍କିତ ହୋଇ ପଡିଛନ୍ତି। ଯଦି କୌଣସି ସ୍ଥାନ ରେ ବାଣ ବିସ୍ଫୋରଣ ଘଟେ ତେବେ ବ୍ୟାପକ ଜୀବନହାନୀ ହେବା ଆଶଙ୍କା ସୃଷ୍ଟି ହୋଇଛି। ଗତ ବର୍ଷ ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ଠାରେ ବାଣ ପ୍ରସ୍ତୁତ କରାଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ଯଦିଓ କୌଣସି ଜୀବନହାନୀ ଘଟିନଥିଲା ତେବେ ଗୋଟିଏ ଛାତ ଗୃହ ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିବା ସହିତ ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଆଖପାଖ ୩/୪ କିଲୋମିଟର ଦୂର ଅଞ୍ଚଳବାସୀ ଭୟଭୀତ ହୋଇ ପଡିଥିଲେ। ଗତ ଦୁଇ ବର୍ଷ ପୂର୍ବେ ଗୋପ ଥାନା ର ନୟାହାଟନିକଟରେ , ଚାରିବର୍ଷ ପୂର୍ବେ କାକଟପୁର ଥାନା ର ବାଜପୁର ଠାରେ ଓ ନିମାପଡ଼ା ଥାନାର ଜଳଛତ୍ର ଠାରେ ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟି ବ୍ୟାପକ ଜୀବନ ହାନୀ ଘଟିଥିଲା।ପୋଲିସ ନାମକୁ ମାତ୍ର ମାମଲା ରୁଜ୍ଜୁ କରି ଚୁପ ବସିଯିବାରୁ ଏହି ଘଟଣା ରେ କେହି ଦୋଷୀ ସାବ୍ୟସ୍ତ ହେଲେନାହିଁ। ବାଣ ପ୍ରସ୍ତୁତ କରୁଥିବା ବ୍ୟକ୍ତି ନିୟମିତ ଭାବେ ସ୍ଥାନୀୟ ପୋଲିସ ଓ ପ୍ରଶାସନ କୁ ମୋଟା ଅଙ୍କର ପାଉଣା ଦେଉଥିବାରୁ ବେଆଇନ ବାଣ ପ୍ରସ୍ତୁତି ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି। ଏବେ କଙ୍କଡା କୁ ଗୋଳି ପାଣି ସୁହାଇବା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକ ବାଣ ବିକ୍ରୀ ହେବାର ସମ୍ଭାବନା ରହିଥିବାରୁ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଛନ୍ତି ଯାହା ସାଧାରଣ ରେ ତୀବ୍ର ଉଦବେଗ ସୃଷ୍ଟି କରିଛି। ତୁରନ୍ତ ପୁରୀ ଜିଲ୍ଲା ଏସ ପି ଓ ନିମାପଡ଼ା ଏସ ଡି ପି ଓ ଏ ଦିଗରେ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।