ମହିଳା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):ଗ୍ରାମାଞ୍ଚଳ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ ବିକାଶ ପ୍ରଶିକ୍ଷଣ ଅନୁଷ୍ଠିତ ହେଉଅଛି। ଗ୍ରାମାଞ୍ଚଳ ମହିଳା ହେବେ ସ୍ୱାବଲମ୍ବୀ, ଆର୍ଥିକ ଦୁର୍ବଳତା ହେଵ ଦୂର । ଘର କାମ ସହ ନିଜସ୍ୱ ଉଦ୍ୟୋଗ ଆରମ୍ଭ କରି ପରିବାରର ଆର୍ଥିକ ମେରୁଦଣ୍ଡ ସାଜିବେ ଗ୍ରାମାଞ୍ଚଳର ମହିଳା । ଏଥିପାଇଁ ବିଶ୍ୱଜୀବନ ସେବା ସଂଘ ଓ EDII ଅହମଦାବାଦର ମିଳିତ ଉଦ୍ୟମରେ ପୁରୀ ଜିଲ୍ଲା କଣାସ ବ୍ଲକ ନଇକୂଳ ପାଟଣା ଗାଁରେ ଆୟୋଜିତ ହୋଇଛି ୨୬ ଦିନିଆ ଉଦ୍ୟମ ବିକାଶ ପ୍ରଶିକ୍ଷଣ ଶିବିର । ଏହି ଶିବିରରେ ଶହେରୁ ଊର୍ଦ୍ଧ୍ୱ ମହିଳା ଅଂଶଗ୍ରହଣ କରି ବିଭିନ୍ନ ସ୍ୱାବଲମ୍ବୀ ଉଦ୍ୟୋଗ ସମ୍ପର୍କରେ ତାଲିମ ନେଉଛନ୍ତି । ଛତୁ ଚାଷ ଠାରୁ ଆରମ୍ଭ କରି ଛତୁରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, ଧୂପକାଠି ଓ ଫିନାଇଲ ତିଆରି ଭଳି କାର୍ଯ୍ୟରେ ଦିଆଯାଉଛି ପ୍ରଶିକ୍ଷଣ । କେବଳ ତାଲିମ ନୁହେଁ, ନିଜେ ଉତ୍ପାଦନ ପ୍ରସ୍ତୁତ କରି ବଜାରରେ ବିକ୍ରି କରିବା ସହ ଆୟର ପନ୍ଥା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଏହି ତାଲିମ ଦ୍ୱାରା ମହିଳାମାନେ ଅନ୍ୟ ଉପରେ ନିର୍ଭର ନକରି ନିଜେ ରୋଜଗାର କରିବା ସହ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବେ ବୋଲି ଆଶା ରଖାଯାଇଅଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ EDII ଅହମଦାବାଦ ଓ ବିଶ୍ୱଜୀବନ ସେବା ସଂଘର ପ୍ରୋଗ୍ରାମ କୋ-ଅର୍ଡିନେଟର ତଥା ସମାଜସେବୀ ରାଧାଶ୍ୟାମ ବିଶ୍ୱାଳ ଓ ମୀନକେତନ ଶ୍ରୀଚନ୍ଦନ ଯୋଗଦେଇ ମହିଳାମାନଙ୍କୁ ବିଭିନ୍ନ ଉଦ୍ୟୋଗ ସମ୍ପର୍କରେ ତାଲିମ ଓ ପରାମର୍ଶ ଦେଇଛନ୍ତି । ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତ ସ୍ତରରେ ମଧ୍ୟ ମହିଳାମାନଙ୍କୁ ଏଭଳି ପ୍ରଶିକ୍ଷଣ ଦେବାକୁ ଯୋଜନା ରହିଛି ।ଉଦ୍ଦେଶ୍ୟ ଗୋଟିଏ ଗ୍ରାମାଞ୍ଚଳର ମହିଳାଙ୍କ ହାତରେ ରୋଜଗାରର ସୁଯୋଗ, ଆତ୍ମବିଶ୍ୱାସର ବଳ ସହିତ ସ୍ୱାବଲମ୍ବୀ ହେବା ।


