ପତ୍ନୀହନ୍ତା ସ୍ୱାମୀକୁ ଅତିରିକ୍ତ ଜିଲ୍ଲା ଦୈାରାଜଜଙ୍କ ଆଜୀବନ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ ଅଜୟ କୁମାର ପ୍ରଧାନ ଏକ ହତ୍ୟା ମାମଲାର ବିଚାର କରି ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବିରିଜଙ୍ଗା(ବାରୁଣା) ଗ୍ରାମର ମନୋଜ କୁମାର ମଲିକଙ୍କ ପତ୍ନୀ ବବିତା ମଲିକ ଗତ ୨୦୧୬ମସିହା ମଇମାସ ୧୮ତାରିଖରେ ପାଟକୁରା ଥାନାରେ ଦେଇଥିବା ଏତଲା ଅନୁଯାଇ ସେହି ଥାନା ଅନ୍ତର୍ଗତ ଅଣ୍ଡାଳ ଗ୍ରାମର ସୁଲଭ ଓରଫ ପ୍ରଦିପ ମଲିକଙ୍କ ପତ୍ନୀ ତଥା ତାଙ୍କ ନଣଦ ମାନସୀ ମଲିକ(୨୯) ପାରିବାରିକ ଗଣ୍ଡଗୋଳ ହେତୁ ପ୍ରାୟ ୫ମାସ ହେବ ଦୁଇ ପୁଅଙ୍କ ସହ ବବିତାଙ୍କ ଘରେ(ବାପଘରେ) ରହି ଆସୁଥିଲା । ମାନସୀର ସ୍ୱାମୀ ପ୍ରଦିପ ସେମାନଙ୍କର କୈାଣସି ଭଲମନ୍ଦ ଖବର ବୁଝୁନଥିଲେ । ମାନସୀ ତାଙ୍କ ବାପଘର ନିକଟ ବିଲକୁ ଯାଇଥିବା ବେଳେ ଗତ ୨୦୧୬ମସିହା ମଇମାସ ୧୮ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରଦିପର ପୁଅ ଅଜୟ ଆସି ଖବର ଦେଲା ଯେ ତା’ ବାପା ବିଲରେ ବୋଉକୁ କ’ଣ ପଚାରୁଛନ୍ତି । ଏକଥା ଶୁଣି ମାନସୀର ମା’ ଓ ଭାଉଜ ବବିତା ଏବଂ ତା’ର ଦୁଇପୁଅ ବିଲକୁ ଯାଇ ଦେଖନ୍ତି ତ ମାନସୀର ସ୍ୱାମୀ ପ୍ରଦିପ ମାନସୀର ହାତକୁ ଟାଣି ଧରି ଏକ କଟୁରୀରେ ମାନସୀକୁ ହାଣି ପକାଉଛନ୍ତି । ସେମାନେ ଘଟଣାସ୍ଥଳକୁ ଦୈାଡି ଯିବାରେ ପ୍ରଦିପ ସେଠାରୁ କଟୁରୀ ସହ ପଳାଇ ଯାଇଥିଲା । ବିଲ ଭିତରେ ମାନସୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା । ସେମାନେ ମାନସୀ ମୁହଁରେ ପାଣି ଛାଟିଥିଲେ । କିନ୍ତୁ ମାନସୀ ସେତେବେଳେକୁ ମରିଯାଇଥିଲା ବୋଲି ବବିତା ତାଙ୍କ ଏତଲାରେ ଦର୍ଶାଇଥିଲେ । ସୁଲଭ ମାନସୀକୁ କଟୁରୀରେ ହାଣି ମାରିଦେଇଥିବା ମଧ୍ୟ ବବିତା ଅଭିଯୋଗ କରିଥିଲେ । ବବିତାଙ୍କ ଅଭିଯୋଗକୁ ଭିତ୍ତିକରି ପାଟକୁରା ଥାନାରେ ୧୪୧/୨୦୧୬ରେ ଏକ ହତ୍ୟା ମାମଲା ପୋଲିସ ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ପୋଲିସ ଅଦାଲତରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ଜି.ଆର. କେଶ ନମ୍ବର ୮୭୪/୨୦୧୬ ଏବଂ ଏସ.ଟି. କେଶ ନମ୍ବର ୮୯/୨୦୧୭ରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜଙ୍କ ଅଦାଲତରେ ସେହି ମାମଲାର ଶୁଣାଣି ଚାଲିଥିଲା । ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଗୁରୁବାର ଅଭିଯୁକ୍ତ ସୁଲଭ ଓରଫ ପ୍ରଦିପ ମଲିକଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ୩୦୨ଦଫାରେ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିବା ସହ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଞ୍ଜୟ କୁମାର ଜେନା ମକଦ୍ଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ