ସମନ୍ୱିତ ଲୋକପାଳ ଯୋଜନା-୨୦୨୧ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗ୍ରାହକ ସେବା ଜନିତ ବିଭିନ୍ନ ସମସ୍ୟାର ନିରାକରଣ ପାଇଁ ନିୟନ୍ତ୍ରଣ ସଂସ୍ଥାର ଅଭିଯୋଗ ନିରାକରଣ ପଦ୍ଧତି ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା-୨୦୨୧ ସମ୍ପର୍କିତ ଜନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୟୁନିଅନ ବ୍ୟାଙ୍କ କ୍ଷେତ୍ରୀୟ ମୁଖ୍ୟ ନିରଞ୍ଜନ ବାରିକ, ନାବାର୍ଡ ଡିଜିଏମ ତାପସ ରଞ୍ଜନ ପ୍ରଧାନ, ୟୁକୋ ବ୍ୟାଙ୍କ ଡେପୁଟି ଜୋନାଲ ହେଡ୍ ନିଶିକାନ୍ତ ସିଂହ, ବାଲେଶ୍ୱର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଚିଫ୍ ମ୍ୟାନେଜର ଅରୁଣ କୁମାର ହୋତା, ଲିଡ୍ ବ୍ୟାଙ୍କ ଡେପୁଟି ମ୍ୟାନେଜର ବିଶ୍ୱଜିତ ଶତପଥୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଡେପୁଟି ଜୋନାଲ ହେଡ୍ ମୃଣାଳ ମହାନ୍ତି, ୟୁକୋ ବ୍ୟାଙ୍କ ଜୋନାଲ ହେଡ୍ ଦେବବତ୍ର ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଭିଯୋଗ ନିରାକରଣ ପଦ୍ଧତି ଏବଂ ସମନ୍ୱିତ ଲୋକପାଳ ଯୋଜନା-୨୦୨୧ କାର୍ଯ୍ୟକାରିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଜମା ନେଣଦେଣ ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରଦତ୍ତ ସେବାକୁ ନେଇ ଗ୍ରାହକ ଅସନ୍ତୁଷ୍ଟ ଥିଲେ କେମିତି ଅଭିଯୋଗ କରାଯିବ ଏବଂ ତାହାର ସମାଧାନ ଦିଗରେ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ । ପୂର୍ବରୁ ଗ୍ରାହକଙ୍କ ଅଭିଯୋଗର ଶୁଣାଣି କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ଦୂର କରିବା ପାଇଁ ନଭେମ୍ବର ୨୦୨୧ ମସିହାରେ ପୂର୍ବ ପ୍ରଚଳିତ ଗ୍ରାହକ ଅଭିଯୋଗ ବ୍ୟବସ୍ଥାର ପରିବର୍ତ୍ତନ ସହ ଏକକ ଅଭିଯୋଗ ନିରାକରଣ ପଦ୍ଧତି ଓ ସମନ୍ୱିତ ଲୋକପାଳ ଯୋଜନା ପ୍ରବର୍ତ୍ତନ କରାଯାଇଛି । ଏହି ନୂତନ ବ୍ୟବସ୍ଥାରେ ବ୍ୟାଙ୍କର କୌଣସି ପ୍ରକାର ସେବାକୁ ନେଇ ଗ୍ରାହକ ସନ୍ତୁଷ୍ଟ ନଥିଲେ ସ୍ଥାନୀୟ ବ୍ୟାଙ୍କରେ ପ୍ରାଥମିକ ଅଭିଯୋଗ କରିବାକୁ ହେବ । ସର୍ବାଧିକ ୩୦ ଦିନ ମଧ୍ୟରେ ଅଭିଯୋଗର ଶୁଣାଣି ନ ହେଲେ ଗ୍ରାହକ ସମନ୍ୱିତ ଲୋକପାଳ ଯୋଜନାରେ ଅଭିଯୋଗ କରିପାରିବେ । ଏହି ଅଭିଯୋଗ ଲିଖିତ କିମ୍ବା ଇ-ମେଲ ଅଥବା ୧୪୪୪୮ ଟୋଲ ଫ୍ରି ନମ୍ବର ଦ୍ୱାରା କରିହେବ । ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଗ୍ରାହକଙ୍କ ଅଭିଯୋଗ ସମାଧାନ ହେବ ବୋଲି ଅଧିକାରୀମାନେ କହିଥିଲେ । ସେହିଭଳି କୌଣସି ପ୍ରକାର ଠାକେଇର ଶିକାର ହେଲେ ଗ୍ରାହକମାନେ ସମନ୍ୱିତ ଲୋକପାଳ ଯୋଜାନାର ସହାୟତା ନେବାକୁ ସେମାନେ ପରାମର୍ଶ ଦେଇଥିଲେ । ୟୁନିଅନ ବ୍ୟାଙ୍କର ଡେପୁଟି କ୍ଷେତ୍ରୀୟ ମୁଖ୍ୟ ଗଜେନ୍ଦ୍ର ନାଥ ଦାସ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ବହୁ ଗ୍ରାହକ ଯୋଗ ଦେଇଥିଲେ । ୟୁନିୟନ ବ୍ୟାଙ୍କର ଚିଫ୍ ମ୍ୟାନେଜର ମିହିର କୁମାର ସିଂହ ଓ ଶାରଦା ଦ୍ରାଓନ୍‌ଙ୍କ ସମେତ ସୁବ୍ରତ ସେନାପତି, ନରେନ୍ଦ୍ର ଗୋପାଲ, ବାସୁଦେବ ନାୟକ, ସାଗରିକା ପାତ୍ର, ଚିତ୍ତରଞ୍ଜନ ସାହୁ, ବିଭୁଦତ୍ତ ଦାସ, ଅମିତ କୁମାର ସାହା, ମଳୟ କୁମାର ପତି, ବନ୍ଧନ ବ୍ୟାଙ୍କର ଦିଲୀପ କୁମାର ସାହୁ ଓ ଆଶୁତୋଷ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ