ଜିଲାସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଜିଲାସ୍ତରୀୟ ପୁରୁଷ ଭଲିଭଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ପରମିଟ ପଡ଼ିଆରେ ଶନିବାର ଉଦଘାଟିତ ହୋଇଯାଇଛି । ଜିଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛ ଜଣାଇଥିଲେ । ହାରଜିତ ଅପେକ୍ଷା ଭାଇଚାରା ସୃଷ୍ଟି ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ସେ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ । ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ବୀରେନ୍ଦ୍ର ସ୍ୱାଇଁ, ସଞ୍ଜୟ ଲେଙ୍କା, କାର୍ତ୍ତିକ ଚନ୍ଦ୍ର ନାୟକ, ଅମର ମହାନ୍ତି, ସୁଜୟ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ଦାସ, ନିମାଇ ଚରଣ ରାଉତରାୟ, ସାଦିକ୍ ଅଲ୍ଲି ଖାଁ, ଜନ୍ମେଜୟ ଦେ, ବିଷ୍ଣୁ ପ୍ରସାଦ ମହାନ୍ତି, ଚିତ୍ତରଞ୍ଜନ ପାଶା, ଗୋପାଳ ସେଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । କ୍ରୀଡା ସଂଘର ଯୁଗ୍ମ ସମ୍ପାଦକ ଜଗଦୀଶ ବେହେରା ଉଦଘାଟନୀ ଉତ୍ସବ ପରିଚାଳନା କରିଥିଲେ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରୁ ୨୦ଟି ଟିମ୍ ଅଂଶଗ୍ରହଣ କରିଛନ୍ତି । ଏଥିରେ କିଛି ମ୍ୟାଚ ଫ୍ଲଡ ଲାଇଟ୍ରେ ଖେଳା ଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଦିନରେ ସଂଧ୍ୟା ସୁଦ୍ଧା ୧୨ଟି ମ୍ୟାଚ ଖେଳାଯାଇଥିବା ବେଳେ ବାକି ୪ ଗୋଟି ମ୍ୟାଚ ଫ୍ଲଡ଼ ଲାଇଟରେ ଖେଳାଯିବ ବୋଲି କ୍ରୀଡ଼ାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ହିମାଦ୍ରୀ ମଣ୍ଡଳ, ସୁଜୟ ଆଚାର୍ଯ୍ୟ, ଅବିନାଶ ଜେନା ଓ କମଳାକାନ୍ତ ବେହେରା ଏଥିରେ ରେଫେରୀ ଭାବେ ଖେଳ ପରିଚାଳନା କରୁଛନ୍ତି । ଏଥିରେ ଚୟନ ହେବାକୁ ଥିବା ଖେଳାଳି ଆସନ୍ତା ସିନିଅର ବର୍ଗ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଂଣ୍ଟରେ ଅଂଶଗ୍ରହଣ କରିବେ ବୋଲି କର୍ମକର୍ତ୍ତାମାନେ କହିଛନ୍ତି ।


