ବଗଡା ପ୍ରାଥମିକ କୃଷି ସମବାୟ ସମିତିରେ ବେଆଇନ କାର୍ଯ୍ୟ ଓ ଦୁର୍ନୀତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦର ସଦସ୍ୟମାନେ ସୋମବାର ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ସେହି ସମବାୟ ସମିତିରେ ଚାଲିଥିବା ବେଆଇନ କାର୍ଯ୍ୟ ଓ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ସେହି ସମିତିର ସମ୍ପାଦକ ଦୀର୍ଘଦିନ ଧରି ମନମୁଖୀ ଭାବେ ବେଆଇନ ତଥା ଅନିୟମିତତା କାର୍ଯ୍ୟ କରିଆସୁଛନ୍ତି । ଫଳରେ ସମିତି ଏକ କୋଟିରୁ ଅଧିକ ପରିମାଣର କ୍ଷତିରେ ବୁଡି ରହିଛି । ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ନବଗଠିତ ପରିଷଦର ପ୍ରଥମ ବୈଠକରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ ଉପସ୍ଥିତିରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଗୁଡିକୁ ସମ୍ପାଦକ ଅବଜ୍ଞା କରି ଚାଲିଛନ୍ତି । ସମିତିରେ ଚାଲିଥିବା ବ୍ୟାପକ ଦୁର୍ନୀତିରେ ସ୍ୱଛତା ଆଣିବା ପାଇଁ ସମବାୟ ଆଇନର ନିୟମ ୬୫ ଅନୁଯାୟୀ ୨୦୦୬ ମସିହା ଠାରୁ ଏଯାବତ ଆୟବ୍ୟୟର ସ୍ୱତନ୍ତ୍ର ସମୀକ୍ଷା କରିବା ନିମନ୍ତେ ସମିତିର ନିର୍ଦେଶକମାନେ ସହକାରୀ ନିବନ୍ଧକଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଗଲାନାହିଁ । ଫଳରେ ସମିତିର ନିର୍ଦେଶକମାନେ ଗତ ନଭେମ୍ବରମାସ ୧୪ତାରିଖରେ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ସହକାରୀ ନିବନ୍ଧକ ନଭେମ୍ବରମାସ ୨୩ତାରିଖରେ ବିଭାଗୀୟ ତଦନ୍ତ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିବାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ତେଣୁ ସମବାୟ ସମିତି ଭବିଷ୍ୟତର ସୁରକ୍ଷା ଦୃଷ୍ଟିରୁ ଯଥା ଶୀଘ୍ର ସ୍ୱତନ୍ତ ସମୀକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ନିର୍ଦେଶକମାନେ ପୁନର୍ବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିଲେ । ସମିତିର ନିର୍ଦେଶକ ମାନସରଞ୍ଜନ ପ୍ରଧାନ, ପ୍ରତାପ କୁମାର ଜେନା, ଧରଣୀଧର ପାତ୍ର, ସୁରେନ୍ଦ୍ର ମୋହନ ସାହୁ, ଜୟନ୍ତ କୁମାର ପରିଡା, ପ୍ରମିଳା ସାହୁ ଓ ଜ୍ଞାନରଞ୍ଜନ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।