କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରପଡା ସଦରମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌରପରିଷଦ ଟାଉନ୍ ହଲ୍ରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରପଡା ତହସିଲ୍ଦାର ହେମଲତା ବାହାଲିଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଡେପୁଟି କଲେକ୍ଟର ଅନନ୍ୟା ତ୍ରିପାଠୀ, ସହକାରୀ ଜିଲ୍ଲାପାଳ ସମୀକ୍ଷା ପାଣି, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ । ଆଜିର ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୨୯ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୧୪ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୧୫ଟି ସାମୁହିକ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ ରାସନ୍ କାର୍ଡ, ପ୍ରଧାନମନ୍ତ୍ରୀ ଅବାସ ଯୋଜନା, ବିଦ୍ୟୁତକରଣ, ଜମିଜମା ସମସ୍ୟା, ଚିକିତ୍ସା ସହାୟତା, ଉଚ୍ଚଶିକ୍ଷା ପାଇଁ ସହାୟତା, କଳାକାର ପେନ୍ସନ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ ଦରଖାସ୍ତ ଥିଲା । ସେହିପରି ସାମୁହିକ ଅଭିଯୋଗ ଦରଖାସ୍ତ ଗୁଡିକ ମଧ୍ୟରେ ଓସ୍ତପୁର ଇୟୁ. ଜି. ଇୟୁ. ପି. ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ, ବଗଡା କୋପରେଟିଭ୍ ସୋସାଇଟ୍ରେ ଧାନ ସଂଗ୍ରହ ବାବଦ ଅଭିଯୋଗ, ଚାଟରାପାଟଣା ଏସ୍.ଏଚ୍.ଜି.ର ଡି. ଆଇ.ସି. ଋଣ, ନୂତନ ସ୍କୁଲ ଗୃହ ନିର୍ମାଣ, ଗୋଚର ଜମି ଅନାଧିକାର ଅଧିଗ୍ରହଣ, ପାନୀୟ ଜଳର ସୁବିଧା ପାଇଁ ପାଣି ଟାଙ୍କି ନିର୍ମାଣ ଓ ଦୂଷିତ ଜଳ ନିଷ୍କାସନ ପାଇଁ ସୁବନ୍ଦୋବସ୍ତ ପ୍ରମୁଖ ଦରଖାସ୍ତ ଗୁଡିକୁ ବିଚାର କରି ଜିଲ୍ଲାପାଳ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଓସ୍ତପୁରର ଭୀମସେନ ବେହେରାଙ୍କୁ ୨ହଜାର, ରାଜକନିକାର ଅକ୍ଷୟ ମଲ୍ଲିକଙ୍କୁ ୫ହଜାର, ପଟ୍ଟାମୁଣ୍ଡାଇର ସୁଭାଷ ଚନ୍ଦ୍ର ରାଉତଙ୍କୁ ୨ହଜାର, ଇନ୍ଦୁପୁରର ମାନସ କୁମାର ପରିଡାଙ୍କୁ ୨ହଜାର, ଇଟିପୁର(ବାରୋ)ର ପ୍ରତିମା ମାଝିଙ୍କୁ ୫ହଜାରର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ରେଡକ୍ରସ୍ ପାଣ୍ଠିରୁ ଚିକିତ୍ସା ସହାୟତା ବାବଦରେ ମହାକାଳପଡାର ଅଶୋକ କୁମାର ସ୍ୱାଇଁଙ୍କୁ ୫ହଜାର ଟଙ୍କା ଓ ପଟ୍ଟାମୁଣ୍ଡାଇର ଗାୟତ୍ରୀ ମଲିକଙ୍କୁ ୫ହଜାର ଟଙ୍କା ଏବଂ ମାର୍ଶାଘାଇ ରଘୁନାଥପୁରର ଅଶୋକ କୁମାର ମହାନ୍ତିଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ ।