ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ବିରୁଦ୍ଧରେ କ୍ଷେତପୋଖରୀ ଚୋରି ଅଭିଯୋଗ !

ପୋଲସରା, (ଅନିଲ କୁମାର ମହାରଣା):ମୃତ୍ତିକା ସଂରକ୍ଷଣ ବିଭାଗର ପୂର୍ବତନ ଅଧିକାରୀ ଗୌରୀଶଙ୍କର ପ୍ରଧାନ ସେମାନଙ୍କ ମାଆଙ୍କ ନାମରେ ନିର୍ମାଣ ହୋଇଥିବା ପୋଖରୀକୁ ଚୋରିକରି ନେଇଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ବର୍ଗତ ସଚଳା ଗୌଡ଼ଙ୍କ ଦୁଇ ପୁତ୍ର ରାଜେନ୍ଦ୍ର ଗୌଡ଼ ଓ ପବିତ୍ର ଗୌଡ଼ ! ପୋଖରୀ ଚୋରିକରିବା ଅସମ୍ଭବ ହୋଇଥିଲେ ମଧ୍ୟ ପରୋକ୍ଷରେ ଏହା ସତ୍ୟ। ୧୬/୧୨/୨୨ତାରିଖରେ ହାତୀପାଦ ପଲ୍ଲୀ ଗ୍ରାମର ମୃତ ହିତାଧିକାରୀଙ୍କ ଦୁଇ ପୁତ୍ରଙ୍କ ଅଭିଯୋଗ ପ୍ରକାରେ ପୋଲସରା ବ୍ଳକ କଣଛାଇ ପଞ୍ଚାୟତ ଅନ୍ତର୍ଗତ ହାତୀପାଦପଲ୍ଲୀ ଗ୍ରାମର ସଚଳା ଗୌଡ଼ଙ୍କ ସ୍ବାମୀ ମଙ୍ଗୁଳୁ ଗୌଡଙ୍କ ନାମରେ ଖାତା ନଂ ୫୩୯/୧୬୫ ପ୍ଳଟ୍ ନଂ ୨୬୮୭ ପ୍ରକାରେ ଚାଷ ଜମି ଅଛି। ଚାଷ ଜମି ପାଇଁ ଜଳର ଆବଶ୍ୟକତା ଦୃଷ୍ଟିରୁ ଏହି ଜମିରେ କ୍ଷେତପୋଖରୀ ଖୋଳିବା ପାଇଁ ସେ ଦୁଇ ବର୍ଷ ପୂର୍ବେ ତତ୍କାଳୀନ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ନିକଟରେ ଦରଖାସ୍ତ ଦାଖଲ କରିଥିଲେ। ଦରଖାସ୍ତ ଗ୍ରହଣ ପରେ ବ୍ଳକ କାର୍ଯ୍ଯାଳୟ ପକ୍ଷରୁ ମୃତ୍ତିକା ସଂରକ୍ଷଣ ବିଭାଗକୁ କ୍ଷେତପୋଖରୀ ଖୋଳିବା ପାଇଁ ମଞ୍ଜୁରୀ ନିର୍ଦ୍ଦେଶ ପଠାଯାଇଥିଲା। କାର୍ଯ୍ଯାଦେଶ ମିଳିବାରେ ବିଳମ୍ବ ହୋଇଥିଲା। ଏହା ମଧ୍ୟରେ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ସଚଳାଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଚଳିତ ବର୍ଷ ୦୪/୦୪/୨୦୨୨ ତାରିଖରେ କାର୍ଯ୍ଯାଦେଶ ଚିଠି ନଂ ୨୪୧୨୦୧୭/ ଆଇ.ଏଫ/୧୦୭୪୪୪୬୧ ପ୍ରକାରେ ମୃତକ ମହିଳା ସଚଳାଙ୍କ ନାମରେ ୨ ଲକ୍ଷ ୩୦ ହଜାର ଟଙ୍କାର ଅଟକଳ ହୋଇ କାର୍ଯ୍ଯାଦେଶ ମଞ୍ଜୁର ହୋଇଥିଲା। ଏକଥା ସଚଳାଙ୍କ ଦୁଇ ପୁତ୍ର ରାଜେନ୍ଦ୍ର ଗୌଡ ଓ ପବିତ୍ର ଗୌଡ ଜାଣିବା ପରେ ବ୍ଳକ ପ୍ରଶାସନ ସହ ଯୋଗାଯୋଗ କରିବାରୁ ସରକାରୀ ନଥି ପତ୍ରରେ ପୋଖରୀ ଖୋଳା ସରି ବିଲ୍ ପାସ ପରେ ଅର୍ଥ ମଞ୍ଜୁର ହୋଇ ପୈଠ ହୋଇଥିବା ଜାଣିବାକୁ ପାଇଥିଲେ।ରାଜେନ୍ଦ୍ର ଓ ପବିତ୍ର ଙ୍କ ମା”ଙ୍କ ମୃତ୍ୟୁର ୬ ମାସ ପରେ କାର୍ଯ୍ଯାଦେଶ ମିଳିଥିବା ବେଳେ କିଭଳି ଯାଞ୍ଚ ନକରି କାର୍ଯ୍ଯାଦେଶ ସେମାନଙ୍କ ଅଜଣାରେ ପ୍ରଦାନ କରାଗଲା ସେମାନେ ପ୍ରଶ୍ନ ଉଠାଇଛନ୍ତି। ଚିହ୍ନଟ ଜମିରେ ଆଦୌ ପୋଖରୀ ଖୋଳା ଯାଇ ନଥିବା ବେଳେ ସେଥିରେ ଚଳିତ ବର୍ଷ ଧାନ ଫସଲ ହୋଇଛି। ପୋଖରୀ ଖୋଳା ବାବଦରେ ମନରେଗାରେ ୧ ଲକ୍ଷ ୪୯ ହଜାର ୮୫୦ ଟଙ୍କା ଶ୍ରମିକ ମାନଙ୍କ ବ୍ଯାଙ୍କ ଖାତାରେ ପୈଠ ହୋଇ ଉଠା ଯାଇଥିବା ସରକାରୀ ନଥିରେ ଦର୍ଶାଯାଇଛି। ସେହି ସମୟର ପୋଲସରା ମୃତ୍ତିକା ସଂରକ୍ଷଣ ଅଧିକାରୀ ଗୌରୀ ଶଙ୍କର ପ୍ରଧାନ, ସ୍ୱର୍ଗତ ସଚଳା ଗୌଡଙ୍କ ନାମରେ ମିଥ୍ୟା କାର୍ଯ୍ଯାଦେଶ ପତ୍ରଟି ସେହି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇ ଉଭୟ ମିଳିତ ଭାବେ ସେହି ଅର୍ଥକୁ ହରିଲୁଟ କରିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗ୍ରାମପଞ୍ଚାୟତରେ ଆହୁରି ପାଞ୍ଚ ଗୋଟି କ୍ଷେତପୋଖରୀ ନାମରେ ଅର୍ଥ ହେରଫେର ହୋଇଥିବା ମଧ୍ୟ ଶୁଣିବାକୁ ମିଳୁଛି। ଉଭୟ ରାଜେନ୍ଦ୍ର ଓ ପବିତ୍ର ଗୌଡ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ଭେଟି ୧୫ ଦିନ ମଧ୍ୟରେ ନିରପେକ୍ଷ ତଦନ୍ତ କରି ସତ୍ଯାସତ୍ଯ ଜଣାଇବାକୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇ ନିବେଦନ କରିଛନ୍ତି। ଅଭିଯୋଗର ଏକକିତା ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ , ଗଞ୍ଜାମ ଜିଲ୍ଲାପାଳ , ୫ ଟି ସଚିବ, ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ , ଛତ୍ରପୁର ପ୍ରକଳ୍ପ ନିର୍ଦେଶକ ଓ ସ୍ଥାନୀୟ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀଙ୍କୁ ପଠାଇଛନ୍ତି। ପ୍ରକାଶ ଥାଉକି ପଞ୍ଚାୟତ ସମିତି ବୈଠକରେ ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା କ୍ଷେତପୋଖରୀ ଖୋଳାରେ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ଆଣିଥିଲେ। ଏହି ଘଟଣା ନେଇ ବୈଠକରେ ଉପସ୍ଥିତ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନୂତନ ଭାବେ ଯୋଗଦେଇଥିବା ମୃତ୍ତିକା ସଂରକ୍ଷଣ ଅଧିକାରୀ ବୁଲୁ ବେହେରାଙ୍କୁ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନେକ ପଞ୍ଚାୟତରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କ୍ଷେତ ପୋଖରୀ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ନିରପେକ୍ଷ ତଦନ୍ତ ହେଲେ ସମସ୍ତ ଦୁର୍ନୀତି ଲୋକଲୋଚନକୁ ଆସିବ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ