ଗଛ ଲଗାନ୍ତୁ, ଉପହାର ପାଆନ୍ତୁ ସାନ୍ତାକ୍ଲସ୍ଙ୍କ ସବୁଜ ସଂକଳ୍ପ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ଯାହାକୁ ଆମେ ବଡ଼ଦିନ ଭାବେ ପାଳନ କରିଥାଉ । ଖ୍ରୀଷ୍ଟମାସ ବୃକ୍ଷକୁ ସଜାଇବା ଠାରୁ ଆଉ ଏକ ବଡ଼ ଆକର୍ଷଣ ଥାଏ ଏହି ଦିନ ସାନ୍ତାକ୍ଲସ୍ । ସାନ୍ତାକ୍ଲସ୍ଙ୍କ ମୁଣାରେ ଥାଏ ଚକୋଲେଟ୍, ଖେଳଣା ପରି ଅନେକ ଉପହାର । ତା’ର ସେ ଉପହାର ପାଇବା ପାଇଁ ଅନେକଙ୍କ ଭିତରେ ଆଗ୍ରହ ଭରି ରହିଥାଏ । ସାନ୍ତାକ୍ଲସ୍ ପରି ପ୍ରତି ମୁହୂର୍ତ୍ତରେ ଉପହାର ବାଣ୍ଟୁଥିବା ଗଛର ଚାରା ଏବେ ସାନ୍ତାକ୍ଲସ୍ଙ୍କ ମୁଣାରେ ଦେଖିବାକୁ ମିଳିଛି । ଉଜୁଡ଼ି ଯାଇଥିବା ପରିବେଶକୁ ସବୁଜିମା ଭରିବା ପାଇଁ ଏହି ସମୟରେ ଅଣ୍ଟାଭିଡ଼ି ବାହାରିଛନ୍ତି ସାନ୍ତା । ଆଉ ଜନସାଧାରଣଙ୍କୁ ବାଣ୍ଟିଛନ୍ତି ଗଛର ଚାରା ଏବଂ କରାଇଛନ୍ତି ସବୁଜ ସଂକଳ୍ପ । ଏଭଳି ନିଆରା ଚିନ୍ତାଧାରାକୁ ରଙ୍ଗ ଓ ତୂଳୀରେ ନିଖୁଣ୍ ରୂପେ ଆଙ୍କିଛନ୍ତି ଭୁବନେଶ୍ୱର ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩ୟ ଶ୍ରେଣୀର ଛାତ୍ର ଶାନ୍ତନୁ ଶାନ୍ତିସ୍ୱରୂପ । ଏହି ବଡ଼ଦିନରେ ପ୍ରତ୍ୟେକ ମଣିଷ ଗୋଟିଏ ଲେଖାଏଁ ବୃକ୍ଷ ଲଗାଇ ସାରା ଜୀବନ ଉପହାର ପାଆନ୍ତୁ ବୋଲି ଶାନ୍ତନୁ ଏହି ଅବସରରେ କହିଛନ୍ତି ।