କୋଣାର୍କ ସୂର୍ଯ୍ୟମନ୍ଦିରରେ ହେବ ଜି-୨୦ ର ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ୱ ପର୍ଯ୍ୟଟନସ୍ଥଳୀ ପୁରୀ ଜିଲ୍ଲା କୋଣାର୍କ ର ସୂର୍ଯ୍ୟମନ୍ଦିର ପରିସରରେ ଆୟୋଜନ ହେବ ଜି-୨୦ ର ଶିଖର ବୈଠକ। ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଏକ କେନ୍ଦ୍ରୀୟ ପ୍ରତନିଧି ଦଳ କୋଣାର୍କ ର ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ଅନୁଧ୍ୟାନ କରିଥିଲେ । କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସମ୍ପାଦକ ଲିଲି ପାଣ୍ଡେଆ, ଏଏସଆଇ ଏଡିଜି ଗୁରୁମିତ ସିଂହ ଚାଓଲା, ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଟ ଦିବିସିତା ବ୍ରଜସୁନ୍ଦର ଗଡ଼ନାୟକ ପ୍ରମୁଖ ଉଚ୍ଚ ପଦାଧିକାରୀ ପ୍ରଥମେ ବ୍ୟାଖ୍ୟାନ କେନ୍ଦ୍ର ଓ ପରେ ସୂର୍ଯ୍ୟମନ୍ଦିର ବିଭିନ୍ନ ସ୍ଥାନ ବୁଲି ଟିକିନିଖି ଦେଖିଥିଲେ। ୨୦୨୩ ନଭେମ୍ବର ୩୦ପର୍ଯ୍ୟନ୍ତ ବିଭିନ୍ନ ଐତିହ୍ୟସ୍ଥଳୀ ରେ ଜି-୨୦ ର ଦୁଇ ଶହରୁ ଅଧିକ ବୈଠକର ଆୟୋଜନ ଭାରତ ର ଅଧ୍ୟକ୍ଷତା ରେ ହେବ । ବସୁଧୈବ କୁଟୁମ୍ବକମ ଏବଂ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଏହାକୁ ନେଇ ହେବ ଜି-୨୦ବୈଠକ। କୋଣାର୍କ ସୁର୍ଯ୍ୟମନ୍ଦିର ରେ ବୈଠକ ଆୟୋଜନ ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥା, ସୂର୍ଯ୍ୟମନ୍ଦିର ପରିସର, ଯାତାୟାତ ବ୍ୟବସ୍ଥା,ଆଦି ସମସ୍ତ ଦିଗ ପ୍ରତି କିଭଳି ଧ୍ୟାନ ଦିଆଯିବ ସେନେଇ ଅନୁଧ୍ୟାନ କରି ଫେରିଥିଲେ ପ୍ରତିନିଧି ଦଳ। ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ଇଂଜିନିୟର ଚିତ୍ତରଞ୍ଜନ ଦାଶ, ସଂରକ୍ଷଣ ଅଧିକାରୀ ନୀରଜ ସିଂ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


