ହକି ବିଶ୍ୱକପ ଟ୍ରଫି ଜିଲ୍ଲା ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଚଳିତ ଜାନୁଆରୀମାସ ୯ତାରିଖରେ ପୁରୁଷ ବିଶ୍ୱକପ ହକି ଟ୍ରଫି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯିବା ଓ ୧୦ତାରିଖରେ ଜିଲ୍ଲାରେ ଭବ୍ୟ ସ୍ୱାଗତ ପ୍ରଦାନ କରାଯିବାର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଗୃହରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ସହକାରୀ ପ୍ରକଳ୍ପ ନିର୍ଦେଶକ ଅବଦୁଲ ରହେମାନ, ଏପିଡି ମନୀଷା ଗୁପ୍ତା, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ସମସ୍ତ ବ୍ଲକର ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ, ଜୋନାଲ ସମ୍ପାଦକ, ସରପଞ୍ଚ, ଜନପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଶ୍ରୀ ପଣ୍ଡା ଟ୍ରଫିର ଜିଲ୍ଲା ଆଗମନକୁ ସ୍ମରଣୀୟ ଓ କ୍ରୀଡା ପ୍ରତି ଜନ ସଚେତନତା ଏବଂ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସଫଳ କରିବା ପାଇଁ ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜିତ ହେବାକୁ ଥିବା କ୍ରୀଡା ପ୍ରତିଯୋଗିତା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ଏହି କ୍ରମରେ ଚଳିତମାସ ୩ରୁ ୮ତାରିଖ ପଞ୍ଚାୟତ ସ୍ତରରେ ୧୧ରୁ ୧୩ତାରିଖ ବ୍ଲକ ସ୍ତରରେ ଓ ୧୭ରୁ ୧୯ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ବିଶ୍ୱକପ ଟ୍ରଫି ଭ୍ରମଣ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ବିସ୍ତୃତ ଭାବେ ଆଲୋଚନା କରିବା ସହ ଆଭାସୀ ବୈଠକରେ ଯୋଗ ଦେଇଥିବା ସମସ୍ତ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ । କଟକ ବାରବାଟି ଷ୍ଟାଡିୟମରେ ଚଳିତମାସ ୧୧ତାରିଖରେ ହେବାକୁ ଥିବା ବିଶ୍ୱକପ ହକି ଉଦଘାଟନୀ ଉତ୍ସବକୁ ପ୍ରତି ଗ୍ରାମପଞ୍ଚାୟତରେ ଏଲଇଡି ଟିଭି ବା ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯିବ ବୋଲି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମତବ୍ୟକ୍ତ କରିଥିଲେ । ପ୍ରତି ଗ୍ରାମପଞ୍ଚାୟତକୁ ଏବାବଦରେ ୨୦ହଜାର ଟଙ୍କା ଅର୍ଥରାଶି ମଞ୍ଜୁର କରାଯାଇଛି ବୋଲି ସେ କହିଥିଲେ । ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ